କଳ୍ପନା ଜଳ୍ପନାର ଅନ୍ତ ଘଟିଲା: ମହାରଥୀଙ୍କ ପୁଅକୁ ଟିକେଟ୍‌ ମିଳିଲା

ପଛରେ ପଡ଼ିଛି କଂଗ୍ରେସ, ଏଯାଏ କରିନି ପ୍ରାର୍ଥୀ ଘୋଷଣା

  • ପ୍ରଦୀପ ମହାରଥୀଙ୍କ ପୁଅଙ୍କୁ ବିଜେଡିର ପିପିଲି ଟିକଟ
  • ରୁଦ୍ରପ୍ରତାପଙ୍କ ମହାରଥୀଙ୍କ ନାଁରେ ନବୀନ ମାରିଲେ ମୋହର
  • ପଟୁଆରରେ ଆଜି ଆଶ୍ରିତ ପଟ୍ଟନାୟକଙ୍କ ଦାଖଲ କଲେ ନାମାଙ୍କନ
  • ପଛରେ ପଡ଼ିଛି କଂଗ୍ରେସ, ଏଯାଏ କରିନି ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପିପିଲି ବାଇ-ଇଲେକ୍ସନରେ ପ୍ରାର୍ଥୀ କରିଛି ବିଜେଡି। ମାଆ-ପୁଅଙ୍କ ମଧ୍ୟରୁ କାହାକୁ ମିଳିବ ଟିକଟ୍, ସେ ସମସ୍ତ ଚର୍ଚ୍ଚାରେ ବିରାମ୍ ଲଗାଇ ରୁଦ୍ରଙ୍କ ଉପରେ ଭରସା କରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ। ତେଣେ କାଲି ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। କଂଗ୍ରେସ୍ କିନ୍ତୁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ କଂଗ୍ରେସ କେବେ ପ୍ରାର୍ଥୀ ଘୋଷଣା କରିବ ସେନେଇ କୌଣସି ସୂଚନା ମିଳିନି।

ଆଶ୍ରିତ ଆଉ ରୁଦ୍ରପ୍ରତାପଙ୍କର ପିପିଲିରେ ହେବ ଘମାଘୋଟ୍‌ ଲଢେଇ। ଅଭିଜ୍ଞତା ବନାମ୍ ନବାଗତଙ୍କ ମଧ୍ୟରେ ହେବ ରାଜନୈତିକ ଯୁଦ୍ଧ। ପିପିଲି ଆସନରେ ହେବ ଜୋରଦାର୍ ଫାଇଟ୍। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଟକ୍କର ଦେବେ ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ପାଇଁ ରୁଦ୍ର ମହାରଥୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ତେବେ ଟିକେଟ୍‌ ଘୋଷଣା ପୂର୍ବରୁ ପ୍ରଦୀପଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ନାଁ ବି ବେଶ୍ ଚର୍ଚ୍ଚାରେ ରହିଥିଲା।

ଅନ୍ୟପକ୍ଷରେ ପିପିଲିର ଯୁବଗୋଷ୍ଠୀ ପୁଅ ରୁଦ୍ରପ୍ରତାପଙ୍କ ସପକ୍ଷରେ ମତ ରଖିଥିଲେ। ବହୁ ଅଙ୍କ କଷିବା ପରେ ଶେଷରେ ରୁଦ୍ରଙ୍କ ନାଁରେ ମୋହର ମାରିଛି ଦଳ। ନବୀନ ନିବାସରେ ନିଜେ ବିଜେଡି ସୁପ୍ରିମୋ ନବୀନ ଏ ନେଇ ଘୋଷଣା କରିବା ପରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତି, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ମହାରଥୀଙ୍କ ଘରକୁ ଆସି ଏ ସଂପର୍କରେ ଅବଗତ କରାଇଥିଲେ। ସେପଟେ ରୁଦ୍ର କହିଛନ୍ତି ଯେ, ନିର୍ବାଚନ ଜିତିଲେ ଡେଲାଙ୍ଗ-ପିପିଲି ମାଟିର ଉନ୍ନତି ସହ ବାପାଙ୍କ ଅଧୁରା  ସ୍ୱପ୍ନ ପୂରଣ କରିବା ତାଙ୍କର ପ୍ରାଥମିକତା ହେବ ବୋଲି ରୁଦ୍ର କହିଛନ୍ତି।

ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପିପିଲି ଶଙ୍କଟ ମୋଚନ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ପଦଯାତ୍ରା କରିଥିଲେ। ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାତୀ ପରିଡା, ଓମ୍ ପ୍ରକାଶ ମିଶ୍ରଙ୍କ ସମେତ ବହୁ ସମର୍ଥକଙ୍କ ସହ ବାଇକ୍ ରାଲିରେ ପୁରୀ ଏଡିଏମ୍ ଅଫିସକୁ ଯାଇଥିଲେ ଆଶ୍ରିତ। ଏଥର ବିଜେପି ପିପିଲିରେ ନିଶ୍ଚିତ ବିଜୟୀ ହେବ ବୋଲି ଆଶ୍ରିତ ବିଶ୍ୱାସ ରଖିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଡ୍ରେନେଜ, ଚାନ୍ଦୁଆ ଶିଳ୍ପକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାରି ହେବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି।

ସେପଟେ କଂଗ୍ରେସ୍ କିନ୍ତୁ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ପିପିଲିରେ ଦଳ କାହାକୁ ଟିକେଟ୍‌ ଦେବ ତାହାକୁ ନେଇ ଚାଲିଛି ଅଙ୍କକଷା। ପିପିଲିରେ ଆସନ୍ତା ଏପ୍ରିଲ୍ ୧୭ରେ ଭୋଟ୍ ଗ୍ରହଣ ହେବ। ଗତ ନିର୍ବାନରେ ପ୍ରଦୀପ ମହାରଥୀଙ୍କଠାରୁ ମାତ୍ର ୧୫ ହଜାର ୭୮୭ ଭୋଟରେ ହାରିଥିଲେ ଆଶ୍ରିତ ପଟ୍ଟନାୟକ। ତେଣୁ ଏଥର ବିଜେଡିଠାରୁ ଗଡ଼ ଛଡ଼େଇ ନେବା ଚକ୍କରରେ ଅଛି ବିଜେପି। ତେବେ ସମୟ କହିବ ପିପିଲିର ବିଧାୟକ ହେବ କିଏ?

You might also like