ଟିକେଟ୍‌ ନେଇ ମୁହଁ ଖୋଲିଲେ ମହାରଥୀଙ୍କ ପୁଅ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ସିଧାସଳଖ ନକହିଲେ ବି ପରୋକ୍ଷରେ ଟିକେଟ୍‌ ପାଇଁ ଆଶାୟୀ ଥିବା ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଜଣାଇଛନ୍ତି। ସେ କହିଛନ୍ତି, ଦଳ ଯାହାକୁ ନିଷ୍ପତ୍ତି ନେବ, ଆମେ ପୂରା ପରିବାର ତାଙ୍କୁ ସମର୍ଥନ ଜଣାଇବୁ। ଦଳ ଯାହାବି ନିଷ୍ପତ୍ତି ନେବ ମୁଁ ଓ ମା’ ଆମେ ତାଙ୍କୁ ସମର୍ଥନ ଜଣାଇବୁ। ପିପିଲି ମାଟିର ବିକାଶ ପାଇଁ ଦୁହେଁ ମିଶିକି କାମ କରିବୁ। ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି, ଅଭିଜ୍ଞତା ବି ଅଛି। ମା’ଙ୍କର ବି ଅଭିଜ୍ଞତା ‌ଅଛି।

ସେପଟେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଦଳୀୟ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ଆମେ ଗ୍ରହଣ କରିବୁ।

‘ରାଜନୀତି ପରିବାରରେ ଜନ୍ମ ହୋଇଛି। ଜନ୍ମରୁ ମୁଁ ଦେଖି ଆସୁଛି। ତେଣୁ ରାଜନୀତି ପାଇଁ ମୁଁ ଜନ୍ମରୁ ପ୍ରସ୍ତୁତ ହୋଇ ଆସୁଛି। ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି। ଅଭିଜ୍ଞତା ଅଛି। ଆଶା ତ ରହିବ ବାପାଙ୍କ ପରେ ମୁଁ କିମ୍ବା ମା’ କାହାକୁ ହେଲେ ଦାୟିତ୍ୱ ମିଳୁ। କିନ୍ତୁ ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ଆମ ପରିବାର ତାହାକୁ ଗ୍ରହଣ କରିବୁ’ ବୋଲି କହିଛନ୍ତି ରୁଦ୍ର ମହାରଥୀ।

ରୁଦ୍ର କହିଥିଲେ, ‘ବାପାଙ୍କର ସ୍ୱପ୍ନଥିଲା, ମାଟି ପାଇଁ ମୁଁ ମଣିଷ, ମାଟି ପାଇଁ କାମ କରିବି। ଏଇ ମାଟିରେ ମିଶିଯିବି। ତାଙ୍କର ଅନେକ ଅଧୂରା ସ୍ୱପ୍ନ ରହି ଯାଇଛି। ସେହି ସ୍ୱପ୍ନକୁ ପୂରଣ କରିବାକୁ  ଚେଷ୍ଟା କରିବୁ। ପିପିଲି ଡେଲାଙ୍ଗ ମାଟିର ବିକାଶ ଓ ଉନ୍ନତି ପାଇଁ ଯାହା ଆବଶ୍ୟକ ତାହା ମୁଁ ଓ ଆମ ପରିବାର କରିବୁ।

ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସମରସଜ୍ଜା ଆରମ୍ଭ ହୋଇଛି। ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବଙ୍କୁ ପିପିଲି ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଖାଲି ରହିଛି ବିଧାୟକ ପଦବୀ। ଏଥିପାଇଁ ନିକଟ ଭବିଷ୍ୟତରେ ଉପନିର୍ବାଚନ ହେବାକୁ ଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଛି ରଣନୀତି। ଏଠାରେ ଉପନିର୍ବାଚନ କେବେ ହେବ ତାକୁ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଥିବାବେଳେ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

You might also like