ଡେଲାଙ୍ଗ ନିର୍ବାଚନୀ ହିଂସା ମାମଲାରେ ୨ ଗିରଫ, ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ

ପିପିଲି: ଡେଲାଙ୍ଗ ନିର୍ବାଚନୀ ହିଂସା ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଜେନାପୁର ବ୍ରାହ୍ମଣବାଡ଼ ଗାଁରେ ଗତକାଲି ନିର୍ବାଚନ ପ୍ରଚାର ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ୩ ଜଣ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଭୁବନେଶ୍ୱର ଏମ୍ସ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଗତକାଲି ଡେଲାଙ୍ଗରେ ନିର୍ବାଚନ ପ୍ରଚାର ବେଳେ ବିଜେଡି ହିଂସାକାଣ୍ଡ ଭିଆଇଥିବା ବିଜେପି ଅଭିଯୋଗ ଆଣିଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ମନୋରଞ୍ଜନ ବରାଳ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଶତାଧିକ ବିଜେପି କର୍ମୀ ଡେଲାଙ୍ଗ ଥାନା ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ରାସ୍ତାରେ ପରିବହନ ସେବା ପ୍ରଭାବିତ ହୋଇଥିଲା।

କିଛି ଦିନ ତଳେ ବିଜେପି କର୍ମୀ ସରୋଜ ସେଠୀ ଏବଂ ରଶ୍ମୀରେଖା ଦାସଙ୍କୁ ଅଶାଳୀନ ବ୍ୟବହାର ସହ ଆକ୍ରମଣ ହୋଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଥିଲା। ଏହାସତ୍ତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବିଜେପି ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲା।

ସୂଚନାଥାଉ କି, ଗତ ଏପ୍ରିଲ ୨ରେ ପିପିଲିରେ ନିର୍ବାଚନ ପ୍ରଚାର ବେଳେ ମଧ୍ୟ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ରାଲିରେ ଯିବାବେଳେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। କ୍ରମାଗତ ଏଭଳି ହିଂସାକାଣ୍ଡ ଅଭିଯୋଗ ନେଇ ବିଜେଡି କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ ପିପିଲି ଉପନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ଅଭିଯାନ। ଗତକାଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଡେଲାଙ୍ଗ ଅଞ୍ଚଳରେ ପଦଯାତ୍ରା କରି ଭୋଟ୍‌ ମାଗିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବିଜେପି ନେତା ଓ କର୍ମୀଙ୍କ ଗହଣରେ ପ୍ରଚାର ବେଳେ ପିପିଲିର ବିକାଶକୁ ଅଣଦେଖା କରାଯାଇଥିବା ବୈଜୟନ୍ତ ପଣ୍ଡା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ, ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ୍‌ ମୋଡ୍‌ରେ ଅପରାହ୍ନ ୪ଟାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ପିପିଲି ବ୍ଲକର ଦାଣ୍ଡ ମକୁନ୍ଦପୁର, କୁମାରେଶ୍ୱର ଓ ପାଟ ସାହାଣିପୁର ଏବଂ ଡେଲାଙ୍ଗ ବ୍ଲକର ରେଞ୍ଚ, ବଡ଼ ଆଙ୍କୁଲା ଓ ସିଂ ବରମ୍ପୁରରେ ଭର୍ଚୁଆଲ୍‌ ବୈଠକ କରିବେ ମୁଖ୍ୟମନ୍ତ୍ରୀ।

ସେପଟେ ବିଜେପି ପାଇଁ ଆଜି ମଇଦାନକୁ ଓହ୍ଲାଇବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ନିର୍ବାଚନ ପ୍ରଚାର କରିବେ ଅପରାଜିତା ଷଡ଼ଙ୍ଗୀ। ପିପିଲି ନିର୍ବାଚନମଣ୍ଡଳୀର ଲକ୍ଷ୍ମୀନାରାୟଣପୁର, ପୁବା ଶାସନ, ପୋପରଙ୍ଗା, ଓରକଳ, ଭାରତୀପୁର, ପାଣିଦୋଳ, କଣ୍ଟି ଓ ହରିରାଜପୁରରେ ରାଲି କରିବେ ଅପରାଜିତା ଷଡ଼ଙ୍ଗୀ। ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ।

You might also like