ପିପିଲି ଉପନିର୍ବାଚନ: ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ

ପିପିଲି: ପିପିଲିରେ ନିର୍ବାଚନ ମାହୋଲ ସରଗରମ ହେଉଛି। ପ୍ରାର୍ଥିପତ୍ର ଦାଖଲ ପରେ ପ୍ରଚାର ମାହୋଲ ଜମୁଛି। ବିଶେଷକରି ବିଜେଡି-ବିଜେପି କମର କଷି ସାରିଲେଣି। ସବୁ ରାଜନୈତିକ ଦଳ ଷ୍ଟାର କ୍ୟାମ୍ପେନର ମନୋନୀତ କରି ସାରିଲେଣି। ଗତକାଲି ବିଜେପି ତାର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଥିଲା। ଆଜି ବିଜେଡି ପିପିଲି ନିର୍ବାଚନ ପାଇଁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି।

ପିପିଲି ବିଧାୟକ ପ୍ରଦୀପ୍ତ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେଉଛି। ସ୍ୱର୍ଗତ ପ୍ରଦୀପ ମହାରାଥୀଙ୍କ ପୁଅ ରୁଦ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସେହିପରି  କଂଗ୍ରେସ ଅଜିତ୍ ମଙ୍ଗରାଜଙ୍କୁ ପ୍ରାର୍ଥୀ  କରିଛି। କାଲି ନାମାଙ୍କନପତ୍ର ଦାଖଲ ସରିଯାଇଛି।

ପିପିଲି ନିର୍ବାଚନ ପାଇଁ  ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେମାନେ ହେଲେ ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଂଜୟ ଦାସବର୍ମା। ଏ ନେଇ ସୂଚନା ଦେଇଛନ୍ତି  ସାଧାରଣ ସଂପାଦକ ମାନସ ମଙ୍ଗରାଜ।

ଏଠି କହିରଖିବୁ, ପିପିଲି ଉପନିର୍ବାଚନ ପାଇଁ ବିଜେପି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛି  । ତାଲିକାରେ ବିଜେପି ରାଜ୍ୟ ସଭାପତି ସଭାପତି ସମୀର ମହାନ୍ତିଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ରହିଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି।

ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର, ସାଂସଦ ଜୁଏଲ ଓରାମଙ୍କ ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକାରେ ରହିଛି। ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହ ଦେଓ, ବିଜୟ ମହାପାତ୍ର, ସମ୍ବିତ ପାତ୍ରଙ୍କ ନାଁ ମଧ୍ୟ ତାଲିକାରେ ରହିଛି। ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ, ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ,ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର, ପ୍ରକାଶ ମିଶ୍ରଙ୍କ ନାଁ ଷ୍ଟାର୍ ପ୍ରଚାରକ ତାଲିକାରେ ରହିଛି।

You might also like