ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପିପିଲି: ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକସ୍ମାତ ବିୟୋଗ ପରେ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏବେ ଏହି ବିଧାନସଭା ଆସନରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।

ସାନି ବିଜ୍ଞପ୍ତି ଅନୁସାରେ, ମେ’ ୧୩ରେ ନିର୍ବାଚନ ହେବ। ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ‌ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସୁଚନାଥାଉ କି, ପିପିଲି ଉପନିର୍ବାଚନ ପାଇଁ ପୂର୍ବରୁ ତାରିଖ ଘୋଷଣା କରାଯାଇଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ଥିଲା। ଏବେ ନୂଆ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ପିପିଲି ମୁହାଁ ହୋଇଛନ୍ତି। ତେବେ ଅଜିତଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ପଡ଼ିଛି।

ପ୍ରାର୍ଥୀ ଖୋଜା ଅଭିଯାନରେ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜ ଓ ଭାଇ ଅଶୋକ ମଙ୍ଗରାଜଙ୍କ  ନାଁ ଆଗରେ ରହିଛି। ଦୁହିଁଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସ୍ ନେତା ନିଶିକାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବି ରେସରେ ଅଛନ୍ତି। ଅଜିତଙ୍କ ଦେହାନ୍ତ ପରେ ଖୋଦ୍ କଂଗ୍ରେସ୍ ନେତା ରାହୁଲ ଗାନ୍ଧି, ମଙ୍ଗରାଜ ପରିବାର ସହ ଫୋନରେ କଥା ହୋଇଥିଲେ।

ଏବେ କରୋନା ସଂକ୍ରମଣ ରାଜ୍ୟରେ ଚିନ୍ତଜନକ ସ୍ଥିତି ରହିଛି। ପୂର୍ବରୁ  କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କର ଗତ ୧୪ ତାରିଖ କରୋନାରେ ମୃତ୍ୟୁ ଘଟିଥିଲା।  ଅଜିତ୍‌ଙ୍କ ମୃତ୍ୟୁର କିଛି ଦିନ ପରେ  ତାଙ୍କର ମା’ ମଧ୍ୟ କରୋନାରେ ଆଖି ବୁଜିଥିଲେ। ଏପରି ସ୍ଥିତିରେ ମଙ୍ଗରାଜ ପରିବାରରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କର ଆଖି।

You might also like