ନବୀନ ନିବାସ ଯାଇ ଟିକେଟ୍‌ ଆଣିଲେ ରୁଦ୍ର ମହାରଥୀ

ଟିକେଟ୍‌ ନେଲେ ରୁଦ୍ର

ଭୁବନେଶ୍ୱର: ନବୀନ ନିବାସ ଯାଇ ଟିକେଟ୍ ଆଣିଲେ ପିପିଲିରୁ ବିଜେଡି ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରତାପ ମହାରଥୀ। ବିଜେଡିର ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ପ୍ରଥମ ଥର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର। ସେ ଆଜି ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁଙ୍କ ସହ ଯାଇ ବିଜେଡି ଟିକେଟ ଆଣିଛନ୍ତି।

ସେପଟେ ପୁଅ ରୁଦ୍ର ଟିକେଟ ଆଣିବା ପରେ ମାଆ ପ୍ରତିଭା ମହାରଥୀ କହିଛନ୍ତି, ବାପା ଥିଲେ ପୁଅ ସଭାରେ ହାରେନି, ମାଆ ଥିଲେ ପୁଅ ଦୁନିଆ ଡରେନି। ରୁଦ୍ର ସହ ସହାନୁଭୂତି, ଆଶୀର୍ବାଦ ରହିଛି। ନିଶ୍ଚୟ ଜିତିବ ରୁଦ୍ର ବୋଲି ପ୍ରତିଭା କହିବା ସହ ମୋ ପରିବାର ଭିତରେ ପୂରା ଏକତା ରହିଛି ବୋଲି ପ୍ରତିଭା କହିଛନ୍ତି। ତେବେ ପିପିଲିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।

ତେବେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପିପିଲି ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କରିଛି। ପୁଅ ରୁଦ୍ରଙ୍କୁ ବିଜେଡି ଟିକେଟ୍ ମିଳିବା ପରେ ବି ମହାରଥୀ ପରିବାରରେ ଆସିପାରୁନି କି ସହମତି ? ଟିକେଟ୍ ନପାଇ ମନ ଊଣା କରିଛନ୍ତି କି ମା’ ପ୍ରତିଭା ମହାରଥୀ ? ପୁଅକୁ ଯୋଦ୍ଧା କରାଯିବାରୁ ଦଳ ଉପରେ ମାନ କରିଛନ୍ତି କି ମା ? ଏଭଳି ଅନେକ କଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏସବୁଥିରେ ପୂର୍ଣ୍ଣଚ୍ଛେଦ ପକାଇସାରିଛନ୍ତି ମହାରଥୀଙ୍କ ପରିବାର। ‘ମନଉଣା’ ଚର୍ଚ୍ଚା ଉପରେ ପ୍ରଥମେ ପ୍ରଦୀପ ମହାରଥୀଙ୍କ ଝିଅ ଓ ଜ୍ୱାଇଁ ପୂର୍ଣ୍ଣଚ୍ଛେଦ ପକାଇଥିବା ବେଳେ ଏବେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ପ୍ରତିଭା କହିଛନ୍ତି, ‘ରୁଦ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଓ ଆମ ପରିବାରକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଏହାଠୁ ବଡ଼ ଖୁସି ଖବର ଆଉ କିଛି ନାହିଁ। ରୁଦ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ମୁଁ ସବୁଠୁ ଅଧିକା ଖୁସି। ମୋର ଆଶୀର୍ବାଦ ପୁଅ ଉପରେ ରହିଛି।’

ଆସନ୍ତା ମାସ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ ବୋଲି ଜଣାଯାଇଛି। ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ବୋଲି ସୂଚନା ମିଳିଛି। ଏହାସହ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରହିଛି। ତେବେ ପିପିଲିରେ ଏଥର କିଏ ବିଜୟ ହେଉଛି ତାହା ଦେଖିବାକୁ ବାକି ରହିଲା।

You might also like