ପିପିଲି ରଣକ୍ଷେତ୍ରରେ ୧୦ ଯୋଦ୍ଧା, କିନ୍ତୁ ବିଜୟ ମୁକୁଟ ପିନ୍ଧିବ କିଏ?

୩ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ

ପିପିଲି: ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୧୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ବେଳେ ଶେଷଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ନିର୍ବାଚନରେ ଏବେ ମୋଟ ୧୦ଜଣ ଲଢୁଛନ୍ତି। ୧୦ଜଣ ପ୍ରାର୍ଥୀ ନିର୍ବାଚନ ନେଇ ସ୍ପଷ୍ଟ ହେବା ପରେ ପୋଷ୍ଟାଲ ବାଲଟ ତିଆରି କାମ ଆରମ୍ଭ ହୋଇଛି। ପିପିଲିର ମୋଟ ୩୪୮ଟି ବୁଥରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଲାଗି ସମସ୍ତ ଅଧିକାରୀ ପ୍ରସ୍ତୁତ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ନିର୍ବାଚନ କାମ ଲାଗି ମୋଟ ୮୩୫ ଜଣ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

ପିପିଲି ଉପ-ନିର୍ବାଚନର ଘମାଘୋଟ କ୍ୟାମ୍ପେନ୍ ଭିତରେ ପଡ଼ିଥିଲା ନିର୍ବାଚନୀ ହିଂସାର ମୂଳଦୂଆ। ପ୍ରଚାରରେ ଯାଇଥିବାବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମର୍ଥକଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ବିଜେପି। କେବଳ ଅଭିଯୋଗ ନୁହେଁ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ଧାରଣା ଦେବା ସହ ଥାନା ଘେରାଓ କରିଥିଲା।

ସେପଟେ ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସମୀର ଦାଶ, ପ୍ରଣବ ପ୍ରକାଶ ଦାସ, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଂଜନ ପୁଜାରୀ, ଆକାଶ ଦାସ ନାୟକ ତାଲିକାରେ ରହିଛନ୍ତି। ତାଲିକାର ଶେଷ ସ୍ଥାନରେ ରହିଛନ୍ତି ଅଭିନେତା ଅରିନ୍ଦମ ରାୟ କିନ୍ତୁ ଷ୍ଟାର ପ୍ରଚାରକ ଭାବେ ଅନୁଭବଙ୍କ ନାଁ ନାହିଁ।

କଂଗ୍ରେସ ତାଲିକାରେ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ନିରଞ୍ଜନ, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଶରତ ରାଉତ, ବିଶ୍ୱରଂଜନ ମହାନ୍ତି, ଜୟଦେବ ଜେନା, ରାମ ଖୁଣ୍ଟିଆ, ସତ୍ୟ ନାୟକ ସାମିଲ ହୋଇଛନ୍ତି।

ସେହିପରି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ବିଜେପି ରାଜ୍ୟ ସଭାପତି ସଭାପତି ସମୀର ମହାନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ନାଁ ରହିଛି। ତେବେ ମୋଟ୍ ଉପରେ କହିବାକୁ ଗଲେ ପିପିଲି ନିର୍ବାଚନ ଲାଗି ଜୋରସୋରରେ କ୍ୟାମ୍ପେନିଂ ଆରମ୍ଭ ହୋଇଯାଇଛି। ଆଗାମୀ ୧୭ ତାରିଖରେ ପିପିଲିରେ ଭୋଟ୍‌ ଗ୍ରହଣ ହେବ।

You might also like