ପିପିଲି ଉପନିର୍ବାଚନ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ମୃତ୍ୟୁ ପାଇଁ ସ୍ଥଗିତ ରହିଥିଲା। ଉପନିର୍ବାଚନ ତାରିଖକୁ ମେ’ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ହେଲେ ସାରା ଦେଶରେ କରୋନା ସ୍ଥିତି ଯେପରି ଲାଗି ରହିଛି ତାହାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ଗତ ୧୪ ତାରିଖ କରୋନାରେ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ମୃତ୍ୟୁ ଘଟିଥିଲା।  ଅଜିତ୍‌ଙ୍କ ମୃତ୍ୟୁର କିଛି ଦିନ ପରେ  ତାଙ୍କର ମା’ ମଧ୍ୟ କରୋନାରେ ଆଖି ବୁଜିଥିଲେ। ଏବେ ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି। ଏପରିକି ପୁରୀ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ  ଆଜି ୨୫୦ ଉପରେ ରହିଛି।

ଏପରି ସ୍ଥିତିରେ ପିପିଲି ଉପନିର୍ବାଚନ ବନ୍ଦ ପାଇଁ ଦାବି କରିଛି କଂଗ୍ରେସ।  କରୋନାର ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ପିପିଲି ଉପନିର୍ବାଚନ ବନ୍ଦ କରାଯାଉ ବୋଲି ପ୍ରେସମିଟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି।

ପ୍ରଦୀପ କହିଛନ୍ତି, କରୋନା ସ୍ଥିତିରେ ଉପନିର୍ବାଚନ କୌଣସି ଗୁରୁତ୍ୱ ରଖୁନାହିଁ।  କରୋନା ଭୟାବହତା ନିକଟରେ ଲୋକଙ୍କ ଜୀବନ ଆଗ, ନିର୍ବାଚନ ପଛ। ନିର୍ବାଚନ ବନ୍ଦ ରଖିବାକୁ ବିଜେଡି, ବିଜେପି ମଧ୍ୟ ସହଯୋଗ କରନ୍ତୁ। ଏ ନେଇ ଆଜି ଅପରାହ୍ନରେ ଦଳ ନିର୍ବାଚନ ଅଧତ୍କାରୀଙ୍କୁ ଭେଟିବେ ବୋଲି ପ୍ରଦୀପ କହିଛନ୍ତି।

ଅନ୍ୟପକ୍ଷେ ପିପିଲି ଉପନିର୍ବାଚନ ବନ୍ଦ ପାଇଁ କଂଗ୍ରେସର ଦାବିକୁ ଅଗ୍ରାହ୍ୟ କରିଛି ବିଜେପି। ପିପିଲି ଉପ ନିର୍ବାଚନ ହେଉ ବୋଲି ଦାବି କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି,  କୋଭିଡ୍ ଗାଇଡ ଲାଇନ ଅନୁସାରେ ଉପନିର୍ବାଚନ ହେବା ଉଚିତ୍‌। ଉପିନିର୍ବାଚନ ବନ୍ଦ ପାଇଁ  କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି ତାହାର ବାସ୍ତବତା ନାହିଁ। ଏହା କେବଳ ପଲିଟିକାଲ ଗିମିକ୍।

ପୃଥ୍ୱୀରାଜ କହିଛନ୍ତି, ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି। ଏ ନେଇ ନୋଟିଫିକେସନ ହୋଇସାରିଛି। ତେଣୁ ନିର୍ବାଚନ ବନ୍ଦ ନହୋଇ କରାଯିବ ଉଚିତ।

ସୂଚନାଥାଉ କି, ଦେଶରେ ନିର୍ବାଚନ ଯୋଗୁ ସାମାଜିକ ଦୂତରା ରହୁନି। ଯାହା ଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏ ନେଇ ନିର୍ବାଚନ କମିଶନଙ୍କୁ କଡା ସାମାଲୋଚନା କରିଛନ୍ତି ମାଡ୍ରାସ ହାଇକୋର୍ଟ। ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି କୋର୍ଟ। ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇନଥାନ୍ତେ ତାହାଲେ ଆଜି କରୋନାର ଦ୍ୱିତୀୟ ଲହର ଏତେ ମାରାତ୍ମକ ହୋଇନଥାନ୍ତା। ତେଣୁ ନିର୍ବାଚନ କମିଶନର ଏଭଳି ପରିସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ। ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର ବୋଲି କୋର୍ଟ କହିଛନ୍ତି।

You might also like