ନିଖୋଜ ଶିଶୁକନ୍ୟା ପିହୁର ମା’ଙ୍କୁ ଉଠାଇନେଲା ପୋଲିସ୍

ଯାଜପୁର: ଭୁବନେଶ୍ୱର ଆସୁଥିବା ସମୟରେ ପିହୁ ମା’କୁ ଉଠାଇ ନେଲା ପୋଲିସ୍। କଟକ ଓଏମ୍‌ପି ଛକରେ ବସ୍ ଅଟକାଇ ପିହୁର ମା’ଙ୍କୁ ଉଠାଇ ନେଇଯାଇଛି ପୋଲିସ। ଯାଜପୁରରୁ  ଭୁବନେଶ୍ୱର ବିଧାନସଭା ଅଭିମୁଖେ ପିହୁ ମା’ ମୋନାଲିସା ନାୟକ ବାହାରିଥିଲେ ବୋଲି ଜଣାପଡ଼ିଛି। ଏ ବାବଦରେ ଖବର ପାଇ ପୋଲିସ ତାଙ୍କୁ କାବୁ କରିଥିଲା। ଆଉ ତା’ପରେ ଚାଉଳିଆଗଂଜ ଥାନାରେ ତାଙ୍କୁ ପଚରାଉଚରା କରିଛି । ଏବଂ ପରେ ନିଜ ହେପାଜତରେ ପୋଲିସ ତାଙ୍କୁ ଭୁବନେଶ୍ୱର ନେଉଥିବା ସୂଚନା ମିଳିଛି। ଏ‍ବେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରାଯାଉଛି।

 

ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସୁନ୍ଦରପୁର ଗ୍ରାମର ଲକ୍ଷ୍ମଣ କୁମାର ନାୟକ ଓ ମୋନାଲିସା ନାୟକଙ୍କ ଅଢେଇ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ଘଟଣାକୁ ଏଥିମଧ୍ୟରେ ୬ମାସ ବିତିସାରିଛି। କୁନି ଝିଅକୁ ଖୋଜିବାକୁ ଯାଜପୁର ଏସପି ୫ଟି ଟିମ୍ ଗଠନ କରିଥିଲେ ସୁଦ୍ଧା ଏଯାଏ ସନ୍ଧାନ ମିଳିପାରୁନି।

ପିହୁ ନିଖୋଜ ଘଟଣାରେ ପୁଲିସ ଗତ ୧୪ ତାରିଖରେ ପୋଷ୍ଟର ଲଗାଇବା ସହ ଘର ପାଖରେ ଥିବା ପୋଖରୀକୁ ଶୁଖାଇଥିଲା। ହେଲେ କୌଣସି ସୁରାକ୍‌ ପାଇ ନଥିଲା। ଏହାସହ ଫେବୃଆରୀ ୧୮ ତାରିଖରେ ଅଗ୍ନିଶମବାହିନୀ ଦ୍ୱାରା ଆଉ ଏକ ପୋଖରୀ ଶୁଖାଇ ପଙ୍କ ଘାଣ୍ଟି ନିରାଶ ହୋଇଥିଲା ପୁଲିସ।

ତେବେ ଏଥିପାଇଁ ସବୁବେଳେ ପୋଲିସକୁ ଦୋଷ ଦେଉଥିଲେ ପିହୁର ମା। ଝିଅର କୌଣସି ଖୋଜଖବର ନମିଳିବାରୁ ବିଧାନସଭା ଆଗରେ ଆତ୍ମାହୁତି ଦେବା ପାଇଁ ପିହୁ ମା’ ଆସିଥାଇ ପାରନ୍ତି ଆଶାଙ୍କା ପ୍ରକାଶ କରି ପୋଲିସ ଏପରି ପଦକ୍ଷେପ ନେଇଛି।

You might also like