ଦିବ୍ୟାଙ୍ଗ ହେଲେ ବି ସ୍ୱାବଲମ୍ବୀ, ସ୍ୱୟଂ ସହାୟକ ଗୋଷ୍ଠୀ କରି ରୋଜଗାର କରୁଛନ୍ତି ଟଙ୍କା

ଧରାକୋଟ(ମନୋଜ ମୁନି): ଦିବ୍ୟାଙ୍ଗ ହୋଇ ବି ହୋଇଛନ୍ତି ସ୍ୱାବଲମ୍ବୀ ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହଁନ୍ତି, ଗାଁର ୬ ଦିବ୍ୟାଙ୍ଗ ମହିଳା ଏକାଠି ହୋଇ ଗଠନ କରିଛନ୍ତି ସ୍ୱୟଂସହାୟକ ଗୋଷ୍ଠୀ। ଖଲିପତ୍ର ସିଲାଇ ସହ ଚାଷବାସ କରି ବେସ୍ ଦୁଇ ପଇସା ରୋଜଗାର କରୁଛନ୍ତି ।

କିଏ ଠିକରେ ପାଦ ପକାଇପାରୁନି, ତ କିଏ କଥା କହିପାରୁନି। ପୁଣି ଆଉ କିଏ ହରାଇଛି ଦୃଷ୍ଟି ଶକ୍ତି। ଏମାନେ ସମସ୍ତେ ଦିବ୍ୟାଙ୍ଗ କିନ୍ତୁ ହାର ମାନିନାହାନ୍ତି ବରଂ ସ୍ୱାଭିମାନର ସହ ରହୁଛନ୍ତି। ଏ ସମସ୍ତଙ୍କ ଘର ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ବେଠୁଆରରେ। ଗାଁରେ ସାଧାରଣ ମଣିଷ ଭଳି ସମର୍ଥ ନୁହନ୍ତି କିନ୍ତୁ ଇଚ୍ଛା ଶକ୍ତି ଏମାନଙ୍କୁ କରିଦେଇଛି ଅସାଧାରଣ। ସେଥିପାଇଁ ତ ଏମାନେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି, ରୋଜଗାରକ୍ଷମ ହୋଇଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବା ସହ ଖଲିପତ୍ର ସିଲାଇ କରି ହୋଇପାରିଛନ୍ତି ସ୍ୱାବଲମ୍ବୀ। ଖାଲି ଖଲି ପତ୍ର ନୁହେଁ, ବିଭିନ୍ନ ପନିପରିବା ଚାଷ କରିଛନ୍ତି, ଗୋପାଳନ ବି କରୁଛନ୍ତି ସେଥିରୁ ଯାହା ଲାଭ ମିଳେ ସେଥିରେ ଚଳାନ୍ତି ପରିବାର।

ତେବେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଭାବ୍ୟଲତା ସାହୁ କହିଛନ୍ତି ଯେ, ଗୋଡ଼ ଖରାପ ଥିବାରୁ ଚାଲିପାରୁନାହିଁ। ତେଣୁ କୁଆଡେ ଯାଇପାରୁନାହୁଁ। ଘରେ ବସି ଖଲିପତ୍ର ସିଲାଇ କରୁଛୁ। ଏହାସହ ଗାଇ ଗୋରୁ ରଖିଛୁ ଓ ବିଲ ବାଡ଼ିରେ ଗଛ ଲଗାଇଛୁ। କିନ୍ତୁ ଆମକୁ ଅଧିକ ଋଣ ଦରକାର  ହେଲେ ତାହା ମିଳୁନାହିଁ। ଟଙ୍କା ମିଳିଲେ ଆମେ ଆହୁରି ଅଧିକ ପ୍ରକାର କାମ କରନ୍ତୁ ବୋଲି ଭାଗ୍ୟଲତା କହିଛନ୍ତି।

ସେପଟେ ଆଉ ଜଣେ ସଦସ୍ୟ କମା ମୁନୀ କହିଛନ୍ତି, ସରକାର ଥରେ ୧୦ ହଜାର ଟଙ୍କା ଓ ମୋବାଇଲ ଲାଗି ୩ ହଜାର ଟଙ୍କା ଦେଇଥିଲେ। ଆମେ ବାରମ୍ବାର ଲୋନ ପାଇଁ ଆବେଦନ କରିଛୁ କିନ୍ତୁ ଟଙ୍କା ମିଳିନାହିଁ। ଟଙ୍କା ମିଳିଲେ ଅଧିକ କାମ କରିବୁ ବୋଲି ସେ କହିଛନ୍ତି।

୬ ଦିବ୍ୟାଙ୍ଗ ସଦସ୍ୟଙ୍କୁ ନେଇ ଗଠିତ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ନାଁ ରହିଛି ଅନନ୍ୟା ଏସ୍ଏଚଜି। ସରକାରଙ୍କ ପକ୍ଷରୁ ଏହି ଗ୍ରୁପକୁ ୧୦ ହଜାର ଟଙ୍କା ସହ ମୋବାଇଲ୍ ପାଇଁ ୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ତେବେ ଅଧିକ ସହାୟତା କି ଋଣ ଯୋଗାଇ ଦିଆଗଲେ ମହିଳାମାନେ ଆହୁରି ଅଧିକ ଲାଭ ପାଇପାରନ୍ତେ ବୋଲି କହିଛନ୍ତି। ଅନ୍ୟପଟେ ଲୋନ୍ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଧରାକୋଟ ସିଡିପିଓ।

You might also like