ପ୍ରଥମେ ନେଇଗଲେ, ପରେ ଚାକିରି ଫେରାଇଲେ ସରକାର

ସୁନ୍ଦରଗଡ଼: ଦୃଷ୍ଟିହୀନ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ପୁନଃ ନିଯୁକ୍ତି ଦେଲେ ସରକାର । ଚାକିରି ସମୟରେ ଦୃଷ୍ଟି ଶକ୍ତି ହରାଇଥିଲେ ସୁନ୍ଦରଗଡ଼ ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡା । ପରେ ତାଙ୍କୁ ଚାକିରି କରିବାରେ ଅକ୍ଷମ ଦର୍ଶାଇ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ତଦନ୍ତ ପରେ ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଦୀର୍ଘ ୨୭ ବର୍ଷ ଧରି ଶିକ୍ଷକତାରେ ସେବା ଓ କର୍ତ୍ତବ୍ୟନିଷ୍ଠତାର ପ୍ରମାଣ ଦେଇ ଆସିଥିଲେ ତପେଶ୍ୱରୀ।  ହେଲେ  ୩ ବର୍ଷ ତଳେ ଦୁର୍ଭାଗ୍ୟବଶତଃ ନିଜର ଦୃଷ୍ଟିଶକ୍ତି ହରାଇଥିଲେ।  ଚାକିରି ଆହୁରି ୬ ବର୍ଷ ବାକିଥିଲେ ବି ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ।  ଏନେଇ ଖବର ପ୍ରସାରଣ ପରେ ଶିକ୍ଷୟତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ପୁଣି ନିଯୁକ୍ତି ଦେଇଛନ୍ତି ସରକାର।

ତପେଶ୍ୱରୀ ପଣ୍ଡାଙ୍କୁ ପୁନଃ ନିଯୁକ୍ତି ନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ସରକାରୀ ନିୟମ ଅନୁସାରେ ଯେଉଁମାନଙ୍କ ପାଖରେ ଦକ୍ଷତା ନାହିଁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହି ନିୟମ ଅନୁସାରେ ଅନ୍ୟମାନଙ୍କ ସହ ତପସ୍ୱିନୀଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ହେଲେ ପରେ ଗଣ ମାଧ୍ୟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଚାକିରୀରେ ଥିବା ସମୟରେ ଟ୍ୟୁମର କାରଣରୁ ତପସ୍ୱିନୀ ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି।

ଏହା ଜାଣିବା ପରେ ଏକ ସ୍ୱତନ୍ତ୍ର ସରକାରୀ ଟିମ୍‌ ଘଟଣାର ତଦନ୍ତ କରିଥିଲେ ଏବଂ ଘଟଣାର ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ। ପୂର୍ବରୁ ଯାଞ୍ଚ ସମୟରେ ନିଜର ଅକ୍ଷମତା ନେଇ ତପସ୍ୱିନୀ ସରକାରଙ୍କୁ ଲିଖିତ ଭାବେ ଜଣାଇ ନ ଥିଲେ। ଏବେ ଲିଖିତ ଜଣାଇବା ପରେ ତାଙ୍କୁ ପୁଣି ଥରେ ନିଯୁକ୍ତି ଦିଆଯାଇଛି। କାରଣ ସରକାରୀ ନିୟମ ଅନୁସାରେ ଚାକିରୀରେ ଥିବାବେଳେ ଯଦି କେହି ଶାରୀରିକ ଅକ୍ଷମ ହୁଅନ୍ତି ସେମାନଙ୍କ କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ମନ୍ତ୍ରୀ ସୀମର ଦାଶ କହିଛନ୍ତି।

You might also like