ହୁ ହୁ ହୋଇ ବଢୁଛି ତୈଳ ଦର….ରାଜ୍ୟରେ ୧୦୦ ଟପିଲା ପେଟ୍ରୋଲ ଦର

ବୋଲ ମାନୁନାହିଁ ତୈଳ ଦର

ଭୁବନେଶ୍ୱର: କରୋନା କାଳରେ ଜୀବିକାକୁ ନେଇ ସଂଘର୍ଷ କରୁଥିବା ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଦେଲାଣି ପେଟ୍ରୋଲର ମହଙ୍ଗା ମାଡ଼। ଲଗାତାର ଦୁଇ ଦିନ ହେଲା ମାଲକାନଗିରି ଜିଲ୍ଲାରେ ଶତକ ମାରୁଛି ପେଟ୍ରୋଲ୍। ଅନ୍ୟ ସହରଗୁଡ଼ିକରେ ବି ଦର୍ ଶହେ ପାଖାପାଖି ପହଞ୍ଚିଲାଣି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ସେପଟେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ କୋଭିଡ୍ ମୁକାବିଲା ଖର୍ଚ୍ଚ ଲାଗି ଶୁଳ୍କ ହ୍ରାସ କରାଯାଇନପାରିବା ଦରବୃଦ୍ଧିର କାରଣ ବୋଲି ଦର୍ଶାଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗତକାଲି କାଲିମେଳା ଆଉ ଆଜି ମାଲକାନଗିରି ସେଞ୍ଚୁରି ପାର୍ କରିଛି ପେଟ୍ରୋଲ ଦର। ମାଲକାନଗିରି ଜିଲ୍ଲା କାଲିମେଳାରେ ଗତକାଲି ଲିଟର ପ୍ରତି ୧୦୦ ଟଙ୍କା ୭୨ ପଇସା ଥିବା ପେଟ୍ରୋଲ୍ ଆଜି ୧୦୧ ଟଙ୍କା ୧ ପଇସାରେ ପହଞ୍ଚିଛି। ସେହିଭଳି ମାଲକାନଗିରି ସଦର ମହକୁମାରେ ୧୦୦ ଟଙ୍କା ୨ ପଇସାରେ ବିକ୍ରି ହେଉଛି ପେଟ୍ରୋଲ୍। କରୋନା ପାଇଁ ଜାରି ଲକଡାଉନ୍‌ ଯୋଗୁ କିଏ ଜୀବିକା ହରାଇଛି ତ ଆଉ କାହାର ରୋଜଗାର କମିଛି। ଏଭଳି ସ୍ଥିତିରେ ଆକାଶ ଛୁଆଁ ପେଟ୍ରୋଲ ଦର ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ଶହେ ଟଙ୍କା ପାଖାପାଖି ପହଞ୍ଚିଲାଣି ପେଟ୍ରୋଲ ଦର। ଏହାକୁ ନେଇ ଗ୍ରାହକଙ୍କୁ ଚିନ୍ତା ଘାରିଥିବାବେଳେ ପରିବହନ ବ୍ୟବସାୟୀଙ୍କ ଉପରେ ବି ଚଡକ ପଡିଛି।

ପେଟ୍ରୋଲ ସହ ତାଳ ଦେଇ ଡିଜେଲରେ ବି ଅନୁରୂପ ଦରବୃଦ୍ଧି ଘଟିଛି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ୯୫ ଟଙ୍କା ୧ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ୯୨ ଟଙ୍କା ୮୪ ପଇସା ହୋଇଛି। ସେପଟେ ଦରବୃଦ୍ଧି ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦୁଇଟି କାରଣ ପାଇଁ ତୈଳ ଦରରେ ବୃଦ୍ଧି ଘଟିଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ଅଧିକ ରହିଥିବାରୁ ତାର ପ୍ରଭାବ ଏଠାରେ ପ଼ଡୁଛି। ସେହିପରି କରୋନା ପାଇଁ ଖର୍ଚ୍ଚ ବଢ଼ିଛି। ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଟ୍ୟାକ୍ସ ଲଗାଇଥିବା ତେଲ ଦର ବୃଦ୍ଧିର ଅନ୍ୟତମ କାରଣ ବୋଲି ସେ ଦର୍ଶାଇଛନ୍ତି।

କେବଳ ଚଳିତ ମାସରେ ୧୫ରୁ ଅଧିକ ଥର ତୈଳ ଦରରେ ବୃଦ୍ଧି ଘଟିଛି। ପେଟ୍ରୋଲର ମୂଳ ଦର ଲିଟର ପିଛା ୩୬ ଟଙ୍କା ୬୧ ପଇସା ଥିବାବେଳେ ଏଥିରେ ୩୨ ଟଙ୍କା ୯୦ ପଇସା ଉତ୍ପାଦ ଶୁଳ୍କ, ୨୨ଟଙ୍କା ୨୦ ପଇସା ଭାଟ୍ ଏବଂ ୩ ଟଙ୍କା ୩୦ ପଇସା ଡିଲର କମିଶନ ଯୁକ୍ତ ହୋଇ ଗ୍ରାହକଙ୍କ ପାଖରେ ପହଞ୍ଚୁଛି, ଫଳରେ ସେଞ୍ଚୁରି ପାର୍ କରିଛି ତେଲ ଦର।

ମାଲକାନଗିରିରୁ ଜିତେନ୍ଦ୍ର ବେଉରିଆ, ସମ୍ବଲପୁରରୁ ସଞ୍ଜୟ ଜେନା, ବ୍ରହ୍ମପୁରରୁ ଜଗନ୍ନଥ ସାହୁ, ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସଙ୍କ ସହ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

You might also like