୨ ଦିନ ସ୍ଥିର ରହିବା ପରେ ପୁଣି ବଢିଲା ତୈଳଦର; ଓଡ଼ିଶାରେ ୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର: ତୈଳଦର ୨ ଦିନ ସ୍ଥିର ରହିବା ପରେ ଆଜି ପୁଣି ବଢିଛି। ତୈଳ କମ୍ପାନୀ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ୩୮ ପଇସା ବୃଦ୍ଧି କରିଛନ୍ତି। ଗୋଟିଏ ପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବି ଡିଜେଲ, ପେଟ୍ରୋଲ ଉପରେ ଟିକସ ହ୍ରାସ‌ କରୁ ନାହାନ୍ତି। ଦେଶର ସବୁ ସହରରେ ସହରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ଉପରେ ରହିଛି। ତେବେ ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି।

ଆଜି ମାଲକାନଗିରିରେ ପେଟ୍ରୋଲ ଲିଟର ଶହେ ପାର କରିଛି । ଆଜି ମାଲକାନଗିରିରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ଦର ରହିଛି ଶହେ ଟଙ୍କା ୩ ପଇସା । ସେହିପରି   ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି ।

ଦର ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ହୋଇଥିବା ବେଳେ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି। ସେହିପରି କଟକରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୯୫ ପଇସା ଏବଂ ଡିଜେଲ ୮୮ ଟଙ୍କା ୯୧ ପଇସାରେ ବିକ୍ରି ହେଉଛି ।

ବଲାଙ୍ଗିରରେ ପେଟ୍ରୋଲ ଲିଟର ପିଛା ୯୩ ଟଙ୍କା ୧୯ ପଇସା, ଡିଜେଲ୍ ଲିଟର ପିଛା ୯୦ ଟଙ୍କା ୧୩ ପଇସା ରହିଥିବାବେଳେ ସମ୍ବଲପୁରରେ ପେଟ୍ରୋଲ ୯୨ ଟଙ୍କା ୨୧ ପଇସା ଏବଂ ଡିଜେଲ ୮୯ ଟଙ୍କା ୧୮ ପଇସା ରହିଛି।

ଅନ୍ୟପକ୍ଷେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ୍ ୯୦.୯୩ ଟଙ୍କା ଥିବାବେଳେ ଡିଜେଲ ଦର ଲିଟର ପିଛା ୮୧.୩୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୭.୩୪ ଟଙ୍କା ଥିବାବେଳେ ଡିଜେଲ ୮୮.୪୪ ଟଙ୍କା, କୋଲକାତାରେ ପେଟ୍ରୋଲ ୯୧.୧୨ ଟଙ୍କା ଥିବାବେଳେ ଡିଜେଲ ୮୪.୨୦ ଟଙ୍କା ଏବଂ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୯୨.୯୦ ଏବଂ ଡିଜେଲ ଦର ଲିଟର ପିଛା ୮୬.୩୧ ଟଙ୍କା ରହିଛି।

ଚଳିତ ବର୍ଷ ଆରମ୍ଭରୁ ଦେଖିଲେ ରାଜଧାନୀ ଦିଲ୍ଲୀରେ ଜାନୁଆରୀରେ ୮୩ ଟଙ୍କା ୭୧ ପଇସା ଥିବାବେଳେ ଡିଜେଲ ଦର ଥିଲା ୭୩.୮୭ ଟଙ୍କା। ହେଲେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ୯୦.୯୭ ଏବଂ ଡିଜେଲ ଦର ୮୧.୩୬ଟଙ୍କା ରହିଛି। ଅର୍ଥାତ୍‌ ୫୪ ଦିନ ବ୍ୟବଧାନରେ ପେଟ୍ରାଲ ଦର ଲିଟର ପିଛା ୭.୨୨ ଟଙ୍କା ଏବଂ ଡିଜେଲ ୭.୪୫ ଟଙ୍କା ବୃଦ୍ଧି ପାଇଛି।

ସୂଚନା ଥାଉ କି, ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନଯାତ୍ରାରେ ପ୍ରଭାବ ପକାଉଛି। ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ସ୍ଥାନୀୟ ସରକାର ଟିକସ ହ୍ରସ କରିଛନ୍ତି, ଯାହା ଫଳରେ ସେଠାରେ ତୈଳ ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। 

 

You might also like