ବେଲଗାମ ତେଲ ଦର ଉପରେ କେମିତି ଲାଗିବ ଅଙ୍କୁଶ ?

ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲର ଦର

ଭୁବନେଶ୍ୱର: ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲର ଦର। ଅାଜି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୮୩ ଟଙ୍କା ୫୪ ଥିବା ବେଳେ ଡିଜେଲ ଦର ରହିଛି ୮୨ଟଙ୍କା ୫ ପଇସା। ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୯ଟଙ୍କା ୭୬ ପଇସା ଓ ଡିଜେଲ ୭୮ଟଙ୍କା ୩୪ ପଇସା ରହିଛି। ଏଣେ ତେଲ ବଜାରରେ ଲାଗିଥିବା ନିଅାଁର ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ପ୍ରଭାବିତ କରିବା ଅାଶଙ୍କା ବଢିଯାଇଛି। ଖାସ୍ କରି ଫଳ, ପନିପରିବା ଓ ଖାଦ୍ୟ ସାମଗ୍ରୀ ଉପରେ ତେଲ ଦରର ପ୍ରଭାବ ପଡିବାକୁ ଅାରମ୍ଭ କଲାଣି। ଏହାକୁ ନେଇ ବଢିଯାଇଛି ଖାଉଟୀଙ୍କ ଚିନ୍ତା।

ବେଲଗାମ ତେଲ ଦର ଉପରେ କେମିତି ଲାଗିବ ଅଂକୁଶ ? ଦର ନିୟନ୍ତ୍ରଣ କାହାର ଦାୟିତ୍ୱ? ଏହାକୁ ନେଇ ତେଜିଛି ଅାରୋପ ପ୍ରତ୍ୟାରୋପ। କେନ୍ଦ୍ର କହୁଛି ଦରବୃଦ୍ଧି ସାମୟିକ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ଦର କମିଲେ ତେଲ ଦର ଅାପେ ଅାପେ କମିଯିବ। ଏହି ଅାଳରେ ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ରାଜି ହେଉନି କେନ୍ଦ୍ର। ଏଣେ ରାଜ୍ୟମାନେ ମଧ୍ୟ ଭାଟ୍ ଛାଡିବାକୁ ନାରାଜ୍। ତେବେ ନିକଟରେ ରାଜସ୍ଥାନ ସରକାର ଭାଟ୍‌କୁ ୪ ପ୍ରତିଶତ କମାଇଥିବା ବେଳେ ଅାନ୍ଧ୍ରପ୍ରଦେଶ ପେଟ୍ରୋଲ ଲିଟର ପିଛା ୨ ଟଙ୍କା କମ୍ କରିଛି।

ସେହିପରି ପଶ୍ଚିମବଙ୍ଗ ସରକାର ଅାଜି ପେଟ୍ରୋଲ ଦର ଏକ ଟଙ୍କା କମାଇଛନ୍ତି। ଓଡ଼ିଶା ସରକାର ମଧ୍ୟ ଅନୁରୁପ ପଦକ୍ଷେପ ନେବେ କି ?ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ରାଜ୍ୟ ସରକାର କମ୍ ଭାଟ୍ ନେଉଥିବା ଯୁକ୍ତି କରିଛନ୍ତି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର ତେଲ ଦର ଲିଟର ପିଛା ୨ ଟଙ୍କା କମାଇବା ପରେ ଅାଉ ହ୍ରାସ ଲାଗି ନାରାଜ, ଏପଟେ ଓଡ଼ିଶା ସରକାର ବି ମନା କରିଦେବା ପରେ ପ୍ରତିଦିନ ରେକର୍ଡ କରୁଥିବା ପେଟ୍ରୋଲ୍ ଡିଜେଲ୍ ଦର ସାଧାରଣ ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇବା ଅାରମ୍ଭ କଲାଣି।

You might also like