ଅନାବିଳ ସ୍ନେହ ଆଗରେ ହାର ମାନିଲା ଆଇନ; ପୁଣି ଥରେ ଘରକୁ ଫେରି ଆସିଲା ଢୁଡ୍

  • ଅନାବିଳ ସ୍ନେହ ଆଗରେ ହାର ମାନିଲା ଆଇନ !
  • ସପ୍ତାହକ ପରେ ଜଙ୍ଗଲ ଛାଡ଼ି ଜନବସତିକୁ ଫେରିଲା ବାରହା ଢୁଡ୍
  • ତେଲକୋଇର କୁନ୍ତଳାଙ୍କ ପାଖକୁ ଫେରିଲା ଜଙ୍ଗଲି ବାରହା ଢୁଡ୍
  • ବନବିଭାଗ କହିଲା ଗାଁ ଲୋକେ ଆପତ୍ତି କଲେ ପୁଣି ଜଙ୍ଗଲରେ ଛାଡ଼ିବୁ

ତେଲକୋଇ: ଢୁଡ୍ ଫେରିଲା ମାଆ କୋଳକୁ। ଆମେ କହୁଛୁ ଜଙ୍ଗଲୀ ବାରହା ଢୁଡର କଥା। ଆଇନର ନାଲି ଆଖି ଦେଖାଇ ବନବିଭାଗ କେନ୍ଦୁଝରର କୁନ୍ତଳାଙ୍କ ଠାରୁ ବାରହା ଢୁଡକୁ ଛଡ଼ାଇ ନେଇଥିଲା। ହେଲେ କୁନ୍ତଳାଙ୍କ ଅନାବିଳ ସ୍ନେହକୁ ଭୁଲିନପାରି ଜଙ୍ଗଲ ଭିତରୁ ଢୁଡ୍ ଫେରିଆସିଛି ଆପଣାର ମଣିଷ ପାଖକୁ। ଆଜି ଢୁଡକୁ ପାଇ ବେଶ୍ ଭାବବିହ୍ଵଳ କୁନ୍ତଳା ଓ ତାଙ୍କ ଦୁଇ ସନ୍ତାନ। ତେବେ ସସ୍ତାହକ ଭିତରେ ବିଗିଡ଼ିଯାଇଥିବା ସ୍ୱାସ୍ଥ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସମସ୍ତେ। ନିଷ୍ପତ୍ତି ନେଇଛନ୍ତି ଢୁଡକୁ ଆଉ ଛାଡ଼ିବେନି। ଏଭଳି ସ୍ଥିତିରେ ବନବିଭାଗ କହୁଛି, ଗାଁ ଲୋକେ ଆପତ୍ତି କଲେ ବାରହାକୁ ପୁଣି ଥରେ ଜଙ୍ଗଲରେ ପୁଣି ଛାଡ଼ିଦିଆଯିବ।

ବାତ୍ସଲ୍ୟ ଆଗରେ ତୁଚ୍ଛ ହୋଇଗଲା ସବୁକିଛିା ଯେଉଁ ଜଙ୍ଗଲୀ ବାରହା ଢୁଡ଼କୁ ଝୁରୁଥିଲେ କୁନ୍ତଳା ପେଣ୍ଠେଇ, ସେହି ଢୁଡ଼ ଏବେ ସତେ ଯେମିତି ଫେରିଆସିଛି ମାଆ କୋଳକୁ । ଜଙ୍ଗଲକୁ ଆଜି ବି ଟିଫିନରେ ଢୁଡ଼ ପାଇଁ ପଖାଳ ନେଇଯାଇଥିଲେ କୁନ୍ତଳା। କେଉଁଠି ଥିଲା କେଜାଣି, ଡାକ ଶୁଣି ଚାଲି ଆସିଲା ପାଖକୁ। ଆଉ ପଖାଳ ଖାଇଲା, ତୋରାଣୀ ପିଇ ଆଶ୍ୱସ୍ତି ଲଭିଥିଲା। ପଛ ଗୋଡ଼ରେ ଆଘାତ ଲାଗିଥିବାରୁ ଛୋଟେଇ ଛୋଟେଇ ବି ଚାଲୁଥିଲା। ତଥାପି ଆପଣାର ମଣିଷକୁ ପାଇ ଢୁଡ଼ ଭୁଲିଯାଇଥିଲା ବିଚ୍ଛେଦର ଯନ୍ତ୍ରଣାକୁ। ଆଉ କୁନ୍ତଳା ଓ ତାଙ୍କ ଦୁଇ ସନ୍ତାନଙ୍କ ସହ ଚାଲିଆସିଥିଲା ଘରକୁା

ବର୍ଷକ ତଳେ ଘର ପାଖ ଜଙ୍ଗଲରୁ ଶାବକ ଥିବାବେଳେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବାରହାକୁ ଆଣିଥିଲେ କୁନ୍ତଳା। ସ୍ନେହରେ ତାକୁ ଢୁଡ ନାଁ ଦେଇ ପାଳିପୋଷି ବଡ଼ କରିଥିଲେ। ତାହାରି ଭିତରେ ମଣିଷର ଭାବ ଆଉ ଆବେଗ ସହ ବାନ୍ଧି ହୋଇଯାଇଥିଲା ଢୁଡ଼। କିନ୍ତୁ ଆଇନର ଆଳ କରି ସପ୍ତାହେ ତଳେ ଢୁଡ଼କୁ ଜଙ୍ଗଲରେ ଛାଡ଼ିଦେଥିଲା ବନବିଭାଗ। ତାପରଠୁ ଢୁଡକୁ ଝୁରିବା ସହ ପ୍ରତିଦିନ ଟିଫିନରେ ପଖାଳ ଧରି ଜଙ୍ଗଲକୁ ଯାଉଥିଲେ କୁନ୍ତଳା, କିନ୍ତୁ ତାକୁ ନପାଇ ନିରାଶ ହୋଇ ଫେରିଆସୁଥିଲେ। ଆଜି ଢୁଡ଼ ଫେରିଆସିବା ପରେ ତାର ସ୍ୱାସ୍ଥ୍ୟବସ୍ଥା ଏବଂ ତାପ୍ରତି ବନବିଭାଗର ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୁନ୍ତଳାଙ୍କ ଝିଅ।

ଏକଥା ସତ ଯେ, ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଇନ ଅଛି। ଜଙ୍ଗଲୀ ଜନ୍ତୁଙ୍କୁ ଘରେ ଆଣି ରଖିବା ଅପରାଧ। ହେଲେ ଏହି ଜଙ୍ଗଲୀ ଜନ୍ତୁ ବାରହା ଯେତେବେଳେ ମଣିଷ ପାଖରେ ସୁରକ୍ଷିତ ଭାବି ଜଙ୍ଗଲ ଛାଡ଼ି ଚାଲିଆସୁଛି, ଏଭଳି ସ୍ଥିତିରେ କି ପଦକ୍ଷେପ ନିଆଯାଇପାରିବ? ଏବେ ଏମିତି ପ୍ରଶ୍ନ ଛିଡ଼ା ହୋଇଛି।

ତେଲକୋଇରୁ ଚିନ୍ମୟ କୁମାର ସାହୁ ଏବଂ ଭୁବନେଶ୍ୱରରୁ ବଳରାମ ମହାନ୍ତିଙ୍କ ରିପୋର୍ଟ

You might also like