ଘରୋଇ ହସ୍ପିଟାଲ୍‌ରେ ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ସରକାରୀ ଡାକ୍ତରଖାନାରେ ଦ୍ୱିତୀୟ ଡୋଜ୍ ନେଇପାରିବେ

ଭୁବନେଶ୍ୱର: ଘରୋଇ ହସ୍ପିଟାଲ୍‌ରେ ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ସରକାରୀ ଡାକ୍ତରଖାନାରେ ଦ୍ୱିତୀୟ ଡୋଜ୍ ନେଇପାରିବେ। ଆଜି ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ତାସହ ଟିକାର ପ୍ରଥମ ଡୋଜ୍ ନେଇକି ଯଦି କାହାର ପଜିଟିଭ୍ ଆସିଥିବ, ସେହି ବ୍ୟକ୍ତି ଦ୍ୱିତୀୟ ଡୋଜ୍ ନେଇପାରିବେ।

ଏହାଦ୍ୱାରା ଇମ୍ୟୁନିଟ୍ ବଢ଼ିବା ସହ ମୃତ୍ୟୁ ହାର କମ ରହିବ ବୋଲି ସେ କହିଛନ୍ତି। ୩ୟ ପର୍ଯ୍ୟାୟ ଟିକାକରଣକୁ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ପୂର୍ବ ଟିକାକରଣରେ ସ୍ପଟ୍ ପଞ୍ଜିକରଣ ହେଉଥିବା ବେଳେ ଏଥିରେ ଅନଲାଇନ୍‌ରେ ହିଁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। କୋ ୱିନ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣ କରିବା ପରେ ଟିକା ନେଇପାରିବେ।

କେଉଁଠି ଓ କେତେବେଳେ ଟିକା ନେବେ ସେ ନେଇ ପଞ୍ଜୀକରଣ ପରେ ସୂଚନା ମେସେଜ ଦ୍ୱାରା ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଦେଶରେ ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ।

ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ୍ ଲାଗୁ ନଥିବାରୁ ଏହାକୁ ନେଇ ତତ୍ପର ହୋଇଛି ବିଏମ୍‌ସି। ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଉଛି। ସମସ୍ତ ୬୭ଟି ଓ୍ୱାର୍ଡରେ ଆରମ୍ଭ ହୋଇଛି ଏହି ଅଭିଯାନ। ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରକୁ ୟୁନିଟ୍‌ ବିଭକ୍ତ କରାଯାଇ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି। ୪୫୦ କର୍ମଚାରୀ ଏହି ସର୍ଭେରେ ନିୟୋଜିତ ହୋଇଛନ୍ତି। ବିଶେଷ ଭାବେ ବସ୍ତି ଅଞ୍ଚଳକୁ ଫୋକସ୍‌ରେ ରଖାଯାଇଛି।

ଭୁବନେଶ୍ୱରରେ ମୋଟ ୩୭୭ଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ୪୩୬ଟି ବସ୍ତି ଚିହ୍ନଟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୩୬ ବସ୍ତିରେ ୨ଲକ୍ଷ ୮୧ ହଜାର ୭୮୫ଟି ପରିବାରର ତଥ୍ୟ ସଂଗ୍ରହ ହୋଇଛି। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପରିବାରର ସଦସ୍ୟ ସଂଖ୍ୟା, ବୃତ୍ତି, ଟେଲିଫୋନ୍ ନମ୍ବର, ୫୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା, ସଦସ୍ୟଙ୍କ ଟ୍ରାଭେଲ ହିଷ୍ଟ୍ରି ଏବଂ କିଛି ଲକ୍ଷଣ ବା ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି କି ନାହିଁ। ସେ ନେଇ ତଥ୍ୟ ସଂଗ୍ରହ ହେଉଛି।

ସୂଚନାଥାଉ କି, ଆଜି ରାଜ୍ୟରେ  ୬, ୫୯୯ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲାବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ରବିବାର ରାଜ୍ୟରୁ ମୋଟ ୬୧୧୬ ଆକ୍ରାନ୍ତ ବାହାରିଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା।

You might also like