ଛାଡିଛି ବର୍ଷା ,ହେଲେ ବଢିଛି ଦୁର୍ଦ୍ଦଶା

ଏବେବି ଅାଶ୍ରୟ ସ୍ଥଳରେ ୧୬ ପରିବାର

ରାୟଗଡ଼ା  : ରାୟଗଡ଼ା ଜିଲ୍ଲାରେ ବର୍ଷା କମିଛି। ହେଲେ ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା। ୩ ଦିନ ଲଗାଣ ବର୍ଷାରେ ଅନେକ ଘର ଭାଙ୍ଗି ଯାଇଛି। ଅନେକ ଘରେ ଏବେ ବି ପାଣି ଭରି ରହିଛି। ସେପଟେ ବନ୍ୟା କ୍ଷତିଗ୍ରସ୍ଥଙ୍କୁ ଅାଶ୍ରୟ  ସ୍ଥଳରେ ରଖାଯାଇ ରନ୍ଧା ଖାଦ୍ୟ ଦିଅାଯାଉଛି। ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଅାଯିବ ବୋଲି କହିଛନ୍ତି କଲ୍ୟାଣସିଂହପୁର ବିଡ଼ିଓ।

ଚୁଲିରୁ ଝରୁଛି ପାଣି। କାନ୍ଥ ବାଡ଼ ସବୁ ଭୁଷୁଡ଼ି ଯାଇଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ରେ ତିନି ଦିନ ଲଗାଣ ବର୍ଷା ସହ  ନଦୀରେ ଅାସିଥିବା ବନ୍ୟା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହି ଅଂଚଳ ସମେତ ପ୍ରଧାନୀଗୁଡ଼ା, ଶିକରପାଇ, ଧାମୁନିପାଙ୍ଗା, କୁଳୁମୁଇଁରେ ବି ଲୋକେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇ ଅାଶ୍ରୟ ସ୍ଥଳରେ ରହିଛନ୍ତି। ପ୍ରାୟ ୧୬ରୁ ଅଧିକ ପରିବାରଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛି ପ୍ରଶାସନ।

୨ ବର୍ଷ ପୂର୍ବେ ବନ୍ୟାର ତାଣ୍ଡବ ମନରୁ ଲିଭିନଥିବା ବେଳେ ଏବେ ପୁଣି ବନ୍ୟା ଚାଷୀଙ୍କ ନିଦ ହଜାଇଦେଇଛି । ଚାଷ ଜମିରେ ପାଣି ମାଡ଼ିଯିବା ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ସେପଟେ ଅଳ୍ପ ଭାଙ୍ଗିଯାଇଥିବା ଘର ଗୁଡିକୁ ପ୍ରଶାସନ ପକ୍ଷରୁ ପଲିଥିନ୍ ଯୋଗାଯାଇଛି। ସେପଟେ ବର୍ଷା କମିବା ପରେ ବିପନ୍ନଙ୍କ ସହାୟତା ଲାଗି ପ୍ରଶାସନ ତତ୍ପର ହୋଇଛି। ରାଜସ୍ୱ ବିଭାଗ ପକ୍ଷରୁ ଘର ଘର ବୁଲି କ୍ଷୟକ୍ଷତିର ଅାକଳନ କରାଯାଉଛି।

ଶୀଘ୍ର କ୍ଷୟକ୍ଷତିର ଅାକଳନ ସହ ପ୍ରଭାବିତଙ୍କୁ ସହାୟତା ଦେବା ଲାଗି ସାଧାରଣରେ ଦାବି ହୋଇଛି।

You might also like