NTPCର ପାଉଁଶ ପୋଖରୀ ବଢ଼ାଇଛି ଚିନ୍ତା

ଅନୁଗୁଳ: ଚିନ୍ତା ବଢ଼ାଇଲା ଏନଟିପିସି। ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ଆସ୍ପଣ୍ଡର ପାଉଁଶ ପାଣି ଏବେ ଟିକିରା ନାଳରେ ସିଧାସଳଖ ମିଶୁଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ପାଉଁଶ ପାଣି ଯୋଗୁ ନାଳ ପ୍ରଦୂଷିତ ହେଉଛି। କେବଳ ସେତିକି ନୁହେଁ। ଏହି ନାଳ ପାଣି ବ୍ରାହ୍ମଣୀରେ ମିଶୁଥିବାରୁ ନଦୀ ବି ପ୍ରଦୂଷିତ ହେଉଛି।

ନଦୀ ଓ ନାଳ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଗୃହପାଳିତ ପଶୁ ବି ରୋଗରେ ପଡ଼ୁଛନ୍ତି। ୩ହଜାର ମେଗାଓ୍ୱାଟ ବିଜୁଳି ଉତ୍ପାଦନ କରୁଥିବା ଏନଟିପିସି ଆସ୍ପଣ୍ଡରୁ ପାଉଁଶ ଉଡ଼ି ପରିବେଶ ପ୍ରଦୂଷିତ ହେଉଛି। ଆସ୍ପଣ୍ଡରେ କ୍ଷମତାଠାରୁ ଅଧିକ ପରିମାଣର ପାଉଁଶ ଥିବାରୁ ଏଥିରେ ଫାଟ ହୋଇ ଚାଷ ଜମିରେ ବି ପାଉଁଶ ପାଣି ମାଡ଼ିଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପଟେ ପାଉଁଶ ପରିଚାଳନା ଏନଟିପିସି କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପୂର୍ବରୁ ୨୦୧୧ ଆସ୍ପଣ୍ଡ ଫାଟି ସ୍ଥାନୀୟ ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟାଇଥିଲା। ପାଉଁଶ ପ୍ରଦୂଷଣରେ ଅତିଷ୍ଟ ଲୋକ ପ୍ରଶାସନକୁ ଜଣାଇଲେ ବି କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ତେବେ ଏହି ପ୍ରସଙ୍ଗରେ ଏନଟିପିସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ତାଳଚେର ଉପଜିଲ୍ଲାପାଳ କହିଛନ୍ତି।

You might also like
Comments
Loading...