ପୋଲ ନିର୍ମାଣ ନହେଲେ ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଧମକ

ରାୟଗଡ଼ା: ନଦୀ ଡେଇଁ ଆରପାରିକୁ ଗଲେ ପୂରଣ ହୁଏ ପେଟପାଟଣା। ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନାଗାବଳୀ ନଦୀ ପାର ହେଲେ ନିଜ ନିଜ କାମକୁ ଯାଇଥାନ୍ତି। ଆଉ ନଦୀ ଉଛୁଳା ହେଲେ ସମସ୍ତେ ଜଳବନ୍ଦୀ। ରାୟଗଡ଼ା ସୀମାନ୍ତ ଅନିଜା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ରାୟଗଡ଼ା ଜିଲ୍ଲା ଅନିଜା ନିକଟ ନାଗାବଳୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅନେକ ଦିନରୁ ଲୋକେ ଦାବି କରି ଆସୁଛନ୍ତି। ହେଲେ ପ୍ରତିଥର କେବଳ ପ୍ରତିଶ୍ରୁତି ଛଡ଼ା ଲୋକଙ୍କୁ କିଛି ମିଳୁନଥିବା ଅଭିଯୋଗ ହୋଇଛି।

ଶେଷରେ ବାଧ୍ୟ ହୋଇ ଅନିଜା ଗ୍ରାମ ସହ ଆଖପାଖ ୩ ଖଣ୍ଡ ଗାଁର ଲୋକେ ପଡ଼ୋଶୀ  ଆନ୍ଧ୍ରପ୍ରଦେଶରେ ମିଶିବାକୁ ଧମକ ଦେଇଛନ୍ତି।

କେବଳ ଅନିଜା ବାସିନ୍ଦା ନୁହଁନ୍ତି, ଦୈନନ୍ଦିନ କାମ ଲାଗି ଏହି ଅଞ୍ଚଳର ୫ଖଣ୍ଡ ଗାଁଲୋକେ ନାଗାବଳୀ ନଦୀ ପାର ହୋଇ ପଡ଼ୋଶୀ ଆନ୍ଧ୍ରକୁ  ଯାଆଆସ କରନ୍ତି।  ମେଡିକାଲ୍‌ ଠାରୁ ଆରମ୍ଭ କରି ବଜାରରୁ ନିତି ଦିନିଆ ସାମଗ୍ରୀ ବି କିଣନ୍ତି। ତେବେ ପୋଲ ନିର୍ମାଣ ଲାଗି ଟେଣ୍ଡର ହୋଇଥିଲେ ବି ଠିକାଦାର କାମ ନ କରିବାରୁ ତାହା ବନ୍ଦ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ କହିଛନ୍ତି।

ଗତ ୧୩ ତାରିଖରେ ଜିଲ୍ଲା ଗସ୍ତରେ ଥିବା ବିଭାଗୀୟ ମନ୍ତ୍ରୀଙ୍କୁ ଏ ନେଇ  ପଚାରିବାରୁ ପୋଲ ନିର୍ମାଣ ଲାଗି ଟେଣ୍ଡର ସହ ତ୍ୱରିତ ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

You might also like