ଦନ୍ତାକୁ ଧରି ବୁଲୁଛି ବନ ବିଭାଗ, କେଉଁଠି ମିଳୁନି ଜାଗା

ଯାଜପୁର:ଗତ ୧୦ ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବା ସହିତ ୪ ଜଣଙ୍କୁ ମାରି ଥିବା ଦନ୍ତାହାତୀକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ। ହାତୀକୁ ରଖିବା ପାଇଁ ବିଭାଗକୁ ଜାଗା ମିଳୁନି। ଯେଉଁଠିକୁ ନେଉଛି, ସେଠି ବିରୋଧ କରାଯାଉଛି।

ତକାଲି ଦାନଗଦି ବ୍ଲକ୍‌ କଣ୍ଟିପୁର ଜଙ୍ଗଲରୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରି କାବୁ କରିଥିଲା। ଆଜି ଏହି ଦନ୍ତା ହାତୀ କୁ ଏକ ଟ୍ରକ୍‌ରେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଥିଲା। ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ସେଠାକୁ ନିଆଯାଇଥିଲା। ଫଳରେ ଗତ କିଛି ଦିନ ଧରି ହାତୀ ଆତଙ୍କରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ସାହସ ଜୁଟାଇ ପାରୁ ନ ଥିବାବେଳେ ଆଜି  ଆଶ୍ୱସ୍ତ ହୋଇଥିଲେ। 

ତେବେ କୁସୁନପୁର ଜଙ୍ଗଲରେ ମଧ୍ୟ ହାତୀଟିକୁ ଛାଡ଼ ପାରିନି ବନ ବିଭାଗ।  କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ। ଫଳରେ ଦନ୍ତାକୁ ଫେରାଇ ନେବାକୁ ବାଧ୍ୟ ହୋଇଥିଲା ବନ ବିଭାଗ ।

ଏଠାରେ ମଧ୍ୟ ଦନ୍ତା ଆତଙ୍କ ଖେଳାଇବା ଆଶଙ୍କାରେ ସ୍ଥାନୀୟ ଗରୁଡ଼ଗାଁ ଲୋକେ ଏହାର ବିରୋଧ କରିଥିଲେ। ଫଳରେ ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇନପାରି ଏହି ପଞ୍ଚାୟତର ହଳଦୀବସନ୍ତଠାରୁ ଦନ୍ତାକୁ ଫେରାଇ ନେଇଛି ବନ ବିଭାଗ ।  ଏବେ ଦନ୍ତା ହାତୀକୁ ଟାଙ୍ଗୀ ଅଭିମୁଖେ ନିଆଯାଉଥିବା ବେଳେ କେଉଁଠି ଛଡ଼ାଯିବ ସ୍ଥିର ହୋଇନାହିଁ।

You might also like