ପିଠା କାର୍ଯ୍ୟକ୍ରମରେ ପଦାକୁ ଆସିଲା କଳି

ସରକାରଙ୍କ ଉପରେ ବର୍ଷିଲେ  ବିରୋଧୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପିଠା ଯୋଜନାକୁ ନେଇ ବିବାଦ ସାଙ୍ଗକୁ ବିରୋଧ ଦେଖିବାକୁ ମିଳିଛି। ନୟାଗଡ଼ ଲକ୍ଷ୍ମୀପ୍ରସାଦରେ ପିଠା କାର୍ଯ୍ୟକ୍ରମବେଳେ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କୁ ଶାସକଦଳ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆସିଛି।

ସେହିଭଳି ଦେବଗଡ଼ ଜିଲ୍ଲା ରିଆମାଳରେ ବି ଲୋକେ ବିରୋଧ କରି କିଛି ସରକାରୀ ଅଧିକାରୀଙ୍କୁ ଅଟକ ରଖିଥିଲେ। ଲୋକଙ୍କୁ ବୋକା ବନାଇ ରାଜ୍ୟ ସରକାର ପିଠା ଯୋଜନାକୁ ନିଜ ପ୍ରଚାରର ମାଧ୍ୟମ କରିଥିବା ବିରୋଧୀ ଅଭିଯୋଗ ଆଣିଥିବାବେଳେ ଏହାର ଜବାବରେ ବିଜେଡି କହିଛି, ଏହା ଅସହିଷ୍ଣୁତାର ପରିଚୟ।

ନୟାଗଡ଼ ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଆୟୋଜିତ ପିଠା କାର୍ଯ୍ୟକ୍ରମବେଳେ ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କୁ ମାଡ଼ ଘଟଣାରେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ଉପସ୍ଥିତିରେ  ଉଭୟ ଗୋଷ୍ଠିଙ୍କ ମଧ୍ୟରେ ହାତାହାତି ଓ ଗାଳି ଗୁଲଜ ହୋଇଥିଲା।

ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗ, ତାଙ୍କ ପଞ୍ଚାୟତରେ ଶାସକଦଳ ନେତା କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଇ ଦେଉନାହାନ୍ତି। ଏହାର ପ୍ରତିବାଦରେ ସେମାନେ କଳାବ୍ୟାଚ୍ ପିନ୍ଧି ଆଜିର ପିଠା କାର୍ଯ୍ୟକ୍ରମକୁ ବିରୋଧ ପାଇଁ ଆସୁଥିବାବେଳେ ବିଜେଡି କର୍ମୀମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ସେ କରିଛନ୍ତି।

ସେହିଭଳି ରିଆମାଳ ବ୍ଲକ୍‌ ନୂଆପଡ଼ା ଗାଁର ଆଉଁଳିଠାରେ ଗାଁ ଲୋକେ ପିଠା କାର୍ଯ୍ୟକ୍ରମକୁ ବିରୋଧ କରି ଜିଲ୍ଲା ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ସହ ୪ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଅଟକ ରଖିଥିଲେ। ସେମାନଙ୍କ ଦାବି ଆଉଁଳି ନୁହେଁ ନୂଆପଡ଼ାରେ ହେଉ ପଞ୍ଚାୟତର ସ୍ଥାୟୀ କାର୍ଯ୍ୟାଳୟ।

ଅନ୍ୟପଟେ ଦିନକୁ ଦିନ ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ୍ କରିଛନ୍ତି ବିଜେପି ଓ କଂଗ୍ରେସ। ଏହା ଏବେ ବିଜେଡି ସରକାରର ପ୍ରଚାର ମାଧ୍ୟମରେ ପରିଣତ ହୋଇଥିବା ବିରୋଧୀ ଅଭିଯୋଗ କରୁଥିବାବେଳେ ବିଜେଡି ଏହାକୁ ଅସହିଷ୍ଣୁତାର ପରିଚୟ ବୋଲି କହିଛି।

You might also like