ଅଭିଶପ୍ତ ଗାଁ ରଚାକୋନା

ଗାଁରେ କୋଟିଆ ପରି ପରିସ୍ଥିତି। ଅଭିଶପ୍ତ ଭାବେ ପଡିରହିଛି ରଚାକୋନା ଗାଁ, ପଡୋଶୀ ରାଜ୍ୟ ସହିତ ମିଶିବାକୁ ଗାଁ ଲୋକଙ୍କ ଚେତାବନୀ

ବୀରମିତ୍ରପୁର(ରାକେଶ ସାହୁ):  ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା। ଗାଁରେ ପାନୀୟ ଜଳ ସୁବିଧା ବି ନାହିଁ। ରୋଗଗ୍ରସ୍ତ ହେଲେ ଭଗବାନ ଭରସା। ସରକାରୀ ଯୋଜନା ତ ଦୂର କଥା ନିତିଦିନିଆ ସୁବିଧା ବି ଏଠାରେ ସାତ ସପନ। ଅଭିଶପ୍ତ ଭାବେ ଦୀର୍ଘ ୭୪ ବର୍ଷ ହେବ କାଳ କାଟୁଛନ୍ତି ରଚାକୋନା ଗ୍ରାମର ଅଧିବାସୀ I ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ  ସମସ୍ତେ ଚେଇଁ ଶୋଇଛନ୍ତି l ସରକାରୀ କଳର ସମସ୍ତ ସୁବିଧା ସୁଯୋଗ ଏମାନଙ୍କ ପାଇଁ ଅପହଞ୍ଚ l  ଗ୍ରାମାଞ୍ଚଳ ବିକାଶ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ, ଦୁର୍ଗମ ଅଂଚଳରେ ଅପହଞ୍ଚ ସୁବିଧା ସୁଯୋଗ ଲୋକଙ୍କ ନିକଟକୁ ପହଞ୍ଚି ପାରୁନାହିଁ। ସରକାରୀ ଯୋଜନା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି।

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ମଝାପଡା ପଞ୍ଚାୟତ ଜଙ୍ଗଲ ଘେରରେ ରଚାକୋନା ଗାଁ l ଏହି ଗାଁରେ ମୋଟ ଶହେ ପରିବାର ବାସ କରନ୍ତି। ସବୁଠାରୁ ଦୁଃଖର କଥା ହେଲା ଗାଁକୁ ଯିବାକୁ ରାସ୍ତା ଟିଏ ନାହିଁ, ଫଳରେ ପାଣିରେ ପହଁରି ଯିବା ଆସିବା କରନ୍ତି ଲୋକେ l ବର୍ଷା ଦିନ ଆସିଲେ ଆହୁରି ଦୟଦୀୟ ହୋଇଯାଏ ଲୋକଙ୍କ ଅବସ୍ଥା, ବାହ୍ୟ ଦୁନିଆରେ ଗ୍ରାମର ସମସ୍ତ ସମ୍ପର୍କ ଛିନ୍ନ ହୋଇଯାଏ। ଏହି ଗ୍ରାମରେ ଶିକ୍ଷା ବ୍ୟବସ୍ଥା କହିଲେ ନସରେ l ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଟିଏ ଥିଲା , କିନ୍ତୁ ରାସ୍ତା ନ ଥିବାରୁ ଶିକ୍ଷକ ଆସିଲେନି, ଫଳରେ ବିଦ୍ୟାଳୟରେ ପଡିଲା ତାଲା । ଏବେ ସ୍କୁଲ ଭୂତ କୋଠି ହୋଇ ପଡ଼ିରହିଛି l ସେହିପରି ପାଣି ମୁନ୍ଦାଏ ପାଇଁ ମଧ୍ୟ ବର୍ଷକ ବାର ସଂଘର୍ଷ୍ କରୁଛନ୍ତି ଗାଁର ଲୋକେ।  ପାନୀୟ ଜଳ ପାଇଁ ନଦୀ ହିଁ ଏକମାତ୍ର ଭରସା ।

ନିର୍ବାଚନ ସମୟରେ ଯେନତେନ ପ୍ରକାରେ ରାଜନେତା ଓ କୁଜି ନେତା ମାନେ ଆସି ଭୋଟ ନେଇଯିବା ପରେ ଆଉ ପଛକୁ ଫେରି ଚାହାଁନ୍ତି ନାହିଁ l ସରକାରୀ କଳର ମଧ୍ୟ ସେହି ଅବସ୍ଥା I ଦୀର୍ଘ ବର୍ଷ ଧରି ଓଡିଶାରେ ବସବାସ କରିବା ପରେ ମଧ୍ୟ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଞ୍ଚିତ ହେବା ନେଇ ଝାଡ଼ଖଣ୍ଡ ରାଜ୍ୟକୁ ଯିବାକୁ ମନସ୍ଥ କରିଛନ୍ତି ଗ୍ରାମ ବାସୀ।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପାନୀୟ ଜଳ, ଭଲ ରାସ୍ତା, ସରକାରୀ ସହାୟତା ଓ ଶିକ୍ଷା ବ୍ୟବସ୍ଥା କରା ନଗଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ଝାରଖଣ୍ଡରେ ମିଶିବା ପାଇଁ ଚେତାବନୀ ଦେଇଛନ୍ତି l ଓଡିଶା ଓ ଝାରଖଣ୍ଡ ସୀମା ବର୍ତ୍ତୀ ଅଞ୍ଚଳରେ ଆସୁଥିବା ଏହି ଗ୍ରାମ ଥିବାରୁ ଓଡିଶା ସରକାରଙ୍କ ପ୍ରଶାସନ କୌଣସି ପ୍ରକାର ସୁବିଧା ଯୋଗାଇ ଦେଉନାହିଁ ବୋଲି ସେମାନେ କହିଛନ୍ତି l

ତେବେ ଏ ନେଇ କୁଆଁରମୁଣ୍ଡା ବିଡିଓଙ୍କ ସହ ଆଲୋଚନା କରିବା ପରେ, ସେ କହିଛନ୍ତି ରଚାକୋନା ଗାଁକୁ ଯିବା ଆସିବା ପାଇଁ ଏକ ପୋଲ ନିହାତି ଆବଶ୍ୟକ, ଯେଉଁଥିପାଇଁ ପାଖାପାଖି ସାତ କୋଟି ଟଙ୍କା ଖର୍ଚ୍ଚ ହେବ l ଏନେଇ ସେ ନିଜେ ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ଅବଗତ କରାଇବେ  l ଯେତେ ଶୀଘ୍ର ହେଇପାରିବ, ଗାଁକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି l

 

 

You might also like