ଦୁର୍ଦ୍ଦଶାରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରର ବନ୍ୟାବିପନ୍ନ

ଭୁବନେଶ୍ୱର: ବନ୍ୟା ଛାଡ଼ିବା ପରେ ବଢିଛି ଦୁର୍ଦ୍ଦଶା। ଚାରିଅାଡ଼େ କାଦୁଅ ପଚପଚ ହୋଇଥିବାବେଳେ ବନ୍ୟାପାଣିରେ ବତୁରି ଯାଇଛି ଝାଟିମାଟି ଘର। କେତେବେଳେ ବି ଭୁଶୁଡ଼ି ଯାଇପାରେ ପାଣିଖିଆ କାନ୍ଥ।  ବନ୍ୟା ଛାଡ଼ିବା ପରେ ଘରକୁ ମାଟି ଲେସି ସଜାଡ଼ୁଛନ୍ତି ବନ୍ୟା ପୀଡ଼ିତ। ଅଣ୍ଟା ସଳଖି ପୁଣି ଥରେ ଛିଡ଼ାହେବାକୁ କରୁଛନ୍ତି ଉଦ୍ୟମ। ଭଦ୍ରକ ଓ ଯାଜପୁର ଜିଲ୍ଲାର ଚିତ୍ର ଯେମିତି ବଦଳି ଯାଇଛି ବନ୍ୟାରେ।

ବୈତରଣୀ ରୋଷର ଚିହ୍ନ ଏବେ ବି ଗାଁ ଗଣ୍ଡାରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ବନ୍ୟାପାଣିରେ ବୁଡ଼ି ରହିଛି ଚାଷ ଶହ ଶହ ହେକ୍ଟର ଚାଷ ଜମି। ଯାହାଫଳରେ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାର ଅାଳିରେ କାଣୀ ନଦୀର କୋପରେ ବିପନ୍ନ ହୋଇଛନ୍ତି ୫୦ ହଜାରରୁ ଅଧିକ ଲୋକ। ରିଲିଫ୍ ଅାକାରରେ ଲୋକଙ୍କୁ ମୁଣ୍ଡ ପିଛା କେବଳ ଦେଢ କିଲୋ ଚୁଡ଼ା ମିଳିଥିବା ଅଭିଯୋଗ ଅାସିଛି।

ମୁଖ୍ୟମନ୍ତ୍ରୀ ତିନି ଜିଲ୍ଲାର ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କରିବା ସହ ୭ଦିନ ପାଇଁ ରିଲିଫ୍ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୌଢ଼ମାନଙ୍କୁ ଦୈନିକ ୬୦ଟଙ୍କା ଓ ୧୨ବର୍ଷରୁ କମ୍ ପିଲାଙ୍କୁ ଦୈନିକ ୪୫ଟଙ୍କା ହିସାବରେ ରିଲିଫ ପ୍ରଦାନ କରାଯିବ। ସରକାରୀ ହିସାବ ଅନୁଯାୟୀ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ୧୭ଟି ବ୍ଲକ, ୪ଟି ପୌରପରିଷଦ, ୯୦୩ଟି ଗାଁର ସାଢେ ୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସପ୍ତାହେ ମଧ୍ୟରେ କ୍ଷୟକ୍ଷତି ଅାକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଅାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଏବେ ସରକାରୀ ସହାୟତା ଅପେକ୍ଷାରେ।

You might also like