କାମକୁ ନୁହଁ ସୀମା ସିଲ୍, ଲୋକେ ଜାଣିଛନ୍ତି ଗଳାବାଟ କେଉଁଠି!

ଭୁବନେଶ୍ୱର: ଗତ ୨ ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଛି। ଏଥିରୁ ଅଧିକାଂଶ ବାହାର ରାଜ୍ୟର ଲିଙ୍କ୍। ତେବେ ସିଲ୍‌ ସତ୍ତ୍ୱେ କେମିତି ଆସୁଛନ୍ତି ବାହାର ରାଜ୍ୟର ଥିବା ଲୋକ? ଲକଡାଉନ କଡ଼ାକଡ଼ି ସତ୍ତ୍ୱେ ଓଡ଼ିଶା ସୀମାନ୍ତରେ ବିଭିନ୍ନ ରାଜ୍ୟରୁ ଲୋକେ ଗଳାବାଟ ଦେଇ ପ୍ରବେଶ କରୁଥିବା ଅଭିଯୋଗ ପରେ ସବୁ ସୀମାନ୍ତରେ କଡ଼ାକଡ଼ି ଯାଞ୍ଚ ହେଉଛି।

ରାଜ୍ୟରେ ଆଜି ଆଉ ୫ ନୂଆ କରୋନା ଆକ୍ରାନ୍ତ ପୁଣି ସେ ସମସ୍ତେ ବାଲେଶ୍ୱରର। ତିନି ଦିନ ତଳେ ଗୋଟିଏ ବି ଆକ୍ରାନ୍ତ ନଥିବା ବାଲେଶ୍ୱର ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିବା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୭୯ରେ ପହଞ୍ଚିଛି।

କେବଳ ବାଲେଶ୍ୱର ନୁହେଁ ଯାଜପୁର, ଭଦ୍ରକରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମଣ ବଢୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି। ବିଶେଷକରି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ ସାମ୍ନାକୁ ଆସିବା ପରେ ସୀମାରେ ଥିବା ଗଳାବାଟ କିଭଳି ବନ୍ଦ ହେବ ତାହା ବି ନୂଆ ଚ୍ୟାଲେଞ୍ଜ ପାଲଟିଛି। ହେଲେ କରୋନାକୁ ନେଇ ହଠାତ୍ ଏ ତିନି ଜିଲ୍ଲାରେ କାହିଁକି ଏଭଳି ସ୍ଥିତି? କାହିଁକି ବଢୁଛି ଏ ସଂଖ୍ୟା ?

ଗତକାଲି ଆକ୍ରାନ୍ତ ୧୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏବେ  ପଶ୍ଚିମବଙ୍ଗ ସହ ଥିବା ଓଡ଼ିଶାର ସୀମାକୁ ନେଇ ଚିନ୍ତା। କାରଣ ବାଲେଶ୍ୱର ଓ ମୟୂରଭଞ୍ଜକୁ ଲାଗି ଓଡ଼ିଶା ସହ ପଶ୍ଚିମବଙ୍ଗର ରହିଛି। ୨୦୨ କିଲୋମିଟରର ସୀମା ଏହା ଭିତରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସହ ଶତାଧିକ ଗ୍ରାମ୍ୟ ରାସ୍ତା ଓ ନଦୀ ଘାଟ ବି ରହିଛି। ସେସବୁ ଭିତରେ ପ୍ରମୁଖ ପ୍ରବେଶପଥ ହେଉଛି ବାଲେଶ୍ୱର ଜିଲ୍ଲାରେ ଥିବା ଲକ୍ଷ୍ମଣନାଥ ଚେକଗେଟ୍, ସାହାବାଜିପୁର ଠାରେ ଥିବା ଚନ୍ଦନେଶ୍ୱର-ଦୀଘା ଚେକଗେଟ୍, ମୟୂରଭଞ୍ଜରେ ଥିବା ଜାମଶୋଳା ଓ ହାତୀବାରୀ ଚେକଗେଟ୍। ହେଲେ ଏସବୁ ଯାଗାରେ ସିନା ଚେକ୍ ହେଉଛି, ତଥାପି ଗଳାବାଟ ଦେଇ ସୀମା ଭିତରକୁ ପଶୁଛନ୍ତି।

ଜଳେଶ୍ୱର ବାଲିମିରେ ଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତାରେ ବାଉଁଶବାଡ଼ ତ ଦିଆଯାଇଥିଲା, ହେଲେ ଏବେ ଯାଆସ ସବୁ ଚାଲିଛି। ଜଳେଶ୍ୱର ଓ ଭୋଗରାଇ ବ୍ଲକ୍‌ର ୯୦ଟି ଗାଁ ପଶ୍ଚିମବଙ୍ଗକୁ ଲାଗିଥିବାରୁ ଏସବୁ ଗାଁରେ ବି ଏମିତି ଗଳାବାଟରେ ଆତଯାତ ଚାଲିଥିବାରୁ ଲୋକେ ଆଶଙ୍କାରେ।…ଏପରିକି ଆଜି ଆରଡିସି ମଧ୍ୟ ସ୍ୱୀକାର କରିଛନ୍ତି। ଲକଡାଉନ୍ ବେଳେ ସୀମା ସିଲ୍ ସତ୍ତ୍ୱେ କିଛି ଲୋକ ଆମ୍ବୁଲାନ୍ସରେ ଏବଂ କିଛି ଲୋକ ପାଦରେ ଚାଲି ଚାଲି ବିଲ ମଧ୍ୟ ଦେଇ ଓଡିଶାକୁ ପଶି ଆସିଛନ୍ତି।

ତେବେ ଲକଡାଉନ୍ ପରେ ସୀମା ଡେଇଁ ପଶ୍ଚିମବଙ୍ଗରୁ କେଉଁମାନେ ଆସିଛନ୍ତି, ସେମାନଙ୍କୁ ଠାବ କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ତେଣୁ ସରପଞ୍ଚ ଜିପିଇଓମାନଙ୍କ ଦ୍ୱାରା ଏନେଇ ଡାଟା ପ୍ରସ୍ତୁତ ଚାଲିଛି ଏବଂ ଗତ ୧୪ ଦିନ ଭିତରେ ତିନି ଜିଲ୍ଲାକୁ ଆସିଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଥିବା କେନ୍ଦ୍ରାଞ୍ଚଳ ଆରଡିସି ସୂଚନା ଦେଇଛନ୍ତି।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପଛରେ ପଡ଼ୋଶୀ ରାଜ୍ୟ ଫେରନ୍ତାଙ୍କ ଲିଙ୍କ୍ ଘଟଣା ସାମ୍ନାକୁ ଆସିବା ପରେ ଏହା ଚିନ୍ତା ବଢାଇଛି। ତେବେ ଏପରି ସ୍ଥଳେ ଆମ ରାଜ୍ୟ ସହ ସଂଲଗ୍ନ ପଡ଼ୋଶୀ ରାଜ୍ୟ ସୀମା ସିଲ କଷ୍ଟକର ବ୍ୟାପାର ବୋଲି କହିଛନ୍ତି ରାଜ୍ୟ କୋଭିଡ୍ ୧୯ ମୁଖପାତ୍ର ସୁବ୍ରତ ବାଗଚୀ। ଓଡ଼ିଶା ସହ ୪ଟି ରାଜ୍ୟର ସୀମା ହଜାର ହଜାର କିଲୋମିଟର ଦୀର୍ଘ ହୋଇଥିବାରୁ ପୋଲିସ ମୁତୟନ ସମ୍ଭବ ନୁହେଁ ଏଭଳି ସମସ୍ୟାର ମୁକାବିଲା ଲାଗି ପଞ୍ଚାୟତଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବାଗଚୀ କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like