ଗୁଜବ ପରେ ବୋହି ନେଲେ ବସ୍ତା ବସ୍ତା ଲୁଣ

ଉମରକୋଟ: ଲୁଣ ମିଳିବନି ବୋଲି ଗୁଜବ ପରେ ଲୁଣ ନେବା ପାଇଁ ଦୋକାନରେ ଲୋକଙ୍କ ଭିଡ଼। ଏପରିକି ଲୋକମାନେ ଳମ୍ବା ଲାଇନ୍‌ରେ ଛିଡ଼ା ହୋଇ ବସ୍ତା ବସ୍ତା ଲୁଣ ବୋହି ନେଉଥିବା ଦେଖିବାକୁ ମିଳିଛି। ନବରଙ୍ଗପୁରରେ ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ଲୋକମାନେ ଲୁଣ ପାଇଁ ସାମାଜିକ ଦୂରତ୍ୱକୁ ମଧ୍ୟ ଭୁଲି ଯାଇଥିଲେ।

ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକରେ ଏବେ ଲୁଣ ସଙ୍କଟ ନେଇ ଗୁଜବ ପ୍ରଚାରିତ ହୋଇଛି। ଫଳରେ  ଆଜି ସକାଳୁ ଉମରକୋଟ ବ୍ଲକର ବିଭିନ୍ନ ଦୋକାନ ସମ୍ମୁଖରେ ଲୁଣ ପାଇଁ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଏପରିକି ଲୋକମାନେ ସାମାଜିକ ଦୂରତ୍ୱକୁ ବି ମାନି ନ ଥିଲେ। ଖବର ପାଇ ଉମରକୋଟ ତହସିଲଦାର, ବଜାର ନିରୀକ୍ଷକ ଓ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ବୁଝାଶୁଝା କରିଥିଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନ ଥିଲେ।

ଅପରପକ୍ଷେ  ଖାଦ୍ୟ ଯୋଗାଣ ମନ୍ତ୍ରୀ ଟ୍ୱିଟ କରି ଲୋକଙ୍କୁ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ କହିଛନ୍ତି। ଯଥେଷ୍ଟ ପରିମାଣର ଲୁଣ ମହଜୁଦ ଅଛି ବୋଲି କହିବା ସହ ଲୁଣ ପାଇଁ ଏପରି ବ୍ୟସ୍ତ ବିବ୍ରତ କିମ୍ବା ଆତଙ୍କିତ ନ ହେବାରୁ ସେ  ଲୋକଙ୍କୁ କହିଛନ୍ତି। ଅପରପକ୍ଷେ ଏଭଳି ଗୁଜବକାରୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

You might also like