ଲକଡାଉନ୍‌ ପାଇଁ ଦୋକାନ ଆଗରେ ଲାଗୁଛି ଲମ୍ବା ଲାଇନ୍‌

ପହରଦିନଠାରୁ ଲକଡାଉନ୍‌

ଭୁବନେଶ୍ୱର: କଥାରେ ଅଛି ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ। ଏକଥା ଆମେ ଏଥିପାଇଁ କହୁଛୁ, କରୋନାକୁ ନେଇ ଲୋକେ ଯେତିକି ସଚେତନ ନୁହଁନ୍ତି, ଲକଡାଉନ୍‌ ନେଇ ତାଠୁ ଅଧିକ ଆତଙ୍କିତ ହୋଇ ହାଟ ବଜାରରେ ଗହଳି ବଢାଉଛନ୍ତି। ଦିନକ ପରେ ଆରମ୍ଭ ହେବ ୧୪ ଦିନିଆ ଲକଡାଉନ୍‌। କାଳେ ଆଉ କୌଣସି ସାମଗ୍ରୀ ମିଳିବନି, ସେହି ଆଶଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀ ହାତେଇବାକୁ ହାଉଜାଉ ଖାଉଟି। ମୃତ୍ୟୁର ତାଣ୍ଡବ ରଚିଚାଲିଥିବା ମହାମାରୀ ପ୍ରତି ଆଦୌ ଖାତିର୍ ହିଁ ନାହିଁ। ସଉଦା ଦୋକାନରୁ ମଦ ଦୋକାନ ଯାଏଁ ନିୟମର ଧଜ୍ଜିଆ ଉଡୁଛି କୋଭିଡ୍ ନିୟମ।

ଅସମ୍ଭାଳ ଭିଡ଼, ଅସମ୍ଭବ ଗହଳି। ହାଟ ଭିତରେ ହାଉଜାଉ ଖାଉଟି। କାରଣ ଦିନକ ପରେ ଆରମ୍ଭ ହେଉଛି ଲକଡାଉନ୍‌। ଆଉ ସେହି ଲକଡାଉନ୍‌ ପୂର୍ବରୁ ଅନେକ ସ୍ଥାନରେ ଚାଲିଛି ଗ୍ରାହକଙ୍କ ସାହାଣ ମେଳା। ସୋରିଷ ପକାଇବାକୁ ବି ଜାଗା ନାହିଁ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ମାଲଗୋଦାମରେ। ଯେଉଁଠି ସାମାଜିକ ଦୂରତ୍ୱକୁ ପଛରେ ପକାଇ କିଏ ଆଳୁ ପିଆଜ ପାଇଁ ତ ଆଉ କିଏ ଅନ୍ୟ ସାମଗ୍ରୀ ପାଇଁ ଭିଡ଼ ଲଗାଇଛନ୍ତି। କାରଣ ମନରେ ଆଶଙ୍କା, ଦିନକ ପରେ ହୁଏତ ଦରଦାମ୍ ବଢ଼ି ଯାଇପାରେ। ତେଣୁ କିଏ ସାତ ଦିନ ପାଇଁ ତ ଆଉ କିଏ ୧୪ ଦିନ ପାଇଁ ବୋହି ନେଉଛନ୍ତି ସଉଦା। ସେହି ମଉକାରେ ବ୍ୟବସାୟୀ ବି ଦର କଷୁଥିବା ଅଭିଯୋଗ ହୋଇଛି।

ରାଜଧାନୀରେ ଚିତ୍ର ବି ସମାନ। ବିଭିନ୍ ସପିଂ ମଲରେ ଦେଖିବାକୁ ମିଳିଛି ଜୋରଦାର ଗହଳି। ଏଠି ସଉଦା ପାଇଁ ଲୋକମାନେ ଲଗାଉଛନ୍ତି ଲମ୍ବାଲାଇନ୍। କିଏ ଅଧ ଘଣ୍ଟା ହେଲାଣି ଧାଡ଼ିରେ ଅଛନ୍ତି ତ ଆଉ କିଏ ଘଣ୍ଟାଏ ହେଲାଣି ଛିଡ଼ା ହୋଇଛନ୍ତି। ସମସ୍ତଙ୍କ ଭିତରେ ସେହି ଲକଡାଉନ୍‌ ଆତଙ୍କ। ସେହିପରି କଟକର ଏକ ଅଣ ଓସାରିଆ ଦୋକାନ ଭିତରେ ମୁଣ୍ଡ ପୁରାଇ ମଦ ନେବାକୁ ଭିଡ଼ ଲଗାଇଛନ୍ତି ୭/୮ ଜଣ ଲୋକେ। ଭୁବନେଶ୍ୱରରେ ତ କିଏ କାର୍ଟୁନ୍ କାର୍ଟୁନ୍, ତ ଆଉ କିଏ ଡବଲ୍ ବ୍ୟାଗରେ ଭର୍ତ୍ତି କରି ନେଉଛନ୍ତି ମଦ। ଗଡ଼ ଜିତିଲା ଭଳି ଖୁସିରେ ଗଦ୍ ଗଦ୍ ଗ୍ରାହକ। କାରଣ ବୁଧବାରଠୁ ୧୪ ଦିନ ଯାଏଁ ବନ୍ଦ ରହିବ ମଦ ଦୋକାନ। ସେ ସମୟର ଚାହିଦା ମେଣ୍ଟାଇବାକୁ ଏକା ସଙ୍ଗେ ମଦ ବୋହି ନେଉଛନ୍ତି ଗ୍ରାହକ। ପଚାରିଲେ ଅଜବ ଉତ୍ତର ଦେଉଛନ୍ତି।

ବଢ଼ିଚାଲିଥିବା ସଂକ୍ରମଣକୁ ଚେକ୍ ଦେବା ପାଇଁ ବୁଧବାରଠାରୁ ୧୯ ଯାଏଁ ରାଜ୍ୟରେ ଲାଗୁହେବ ଲକଡାଉନ୍। ଏହି ସମୟରେ ପନିପରିବା ସହ ତେଜରାତି, ଫଳ-ପରିବା ଦୋକାନ ଖୋଲା ରହିବ। ଏହାସହ କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ବି ଖୋଲା ରହିବ। ସକାଳ ୬ରୁ ଦିନ ୧୨ଟା ଭିତରେ ଲୋକେ ଘରଠାରୁ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ଚାଲି ଚାଲି ଯାଇ ସାମଗ୍ରୀ କିଣିପାରିବେ। ତେଣୁ ଅଯଥାରେ ଆତଙ୍କିତ ହୋଇ ହାଟବଜାରରେ ଭିଡ଼ ନଜମାଇବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେହିପରି ଲକଡାଉନକୁ ନେଇ ଟୁଇନସିଟି ବାସୀଙ୍କୁ ବ୍ୟସ୍ତ ବିବ୍ରତ ନହେବାକୁ ପୋଲିସ କମିଶନର ମଧ୍ୟ ଅପିଲ୍ କରିଛନ୍ତି।

You might also like