ରାସ୍ତା ନଥିବାରୁ ଲାଇଫ୍ ଲାଇନ ପାଲଟିଛି ଡଙ୍ଗା

ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ

କୋରାପୁଟ( ସୂର୍ଯ୍ୟନାରାୟଣ ପଣ୍ଡା) :  ଜୀବନର ଲାଇଫ୍ ଲାଇନ ପାଲଟିଛି ଡଙ୍ଗା। ପ୍ରତିଦିନ ଲୋକେ ଏହି ଡଙ୍ଗା ଉପରେ ନିର୍ଭର କରନ୍ତି। ପଞ୍ଚାୟତ ଅଫିସ ହେଉ କି ସ୍କୁଲ,କଲେଜ ଲୋକେ ପ୍ରତିଦିନ ଯିବାଆସିବା କରନ୍ତି ଏହି ଡଙ୍ଗା ସାହାଯ୍ୟରେ।

କୋରାପୁଟ ଦଶମନ୍ତପୁର ବ୍ଲକର ଦୁଆରଶୁଣି ପଂଚାୟତ ଲୋକଙ୍କ ଏକ ମାତ୍ର ଭରସା ଏହି ଡଙ୍ଗା। ପଂଚାୟତ କାର୍ଯ୍ୟାଳୟ କାମ ଥିଲେ କି ବଜାରରେ ସଉଦା କିଣିବା ହେଉ  ନଦୀର ଆରପଟେ ବୋରିଗୁମ୍ମା ବ୍ଲକ ଆଡକୁ ଯିବା ପାଇଁ ପଡେ। ଫଳରେ ସବୁବେଳେ ଡଙ୍ଗା ଯାତ୍ରା ଲୋକଙ୍କୁ ଭୟଭୀତ କରି ଆସୁଛି। ନାଉରୀର ଭରସାରେ ପ୍ରତିଦିନ ଯାତ୍ରାର ଅନିଶ୍ଚିତତା ଯୋଗୁଁ ସବୁବେଳେ ଯାତ୍ରା ସମ୍ଭବ ହେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।

ସରକାରଙ୍କ ତରଫରୁ ଦିଆଯାଇଥିବା ମୋଟର ବୋଟ ଟି ଅଚଳ ହୋଇପଡିଛି। ଜିଲ୍ଲା ପ୍ରଶାସନ ବିଶାଖାପାଟଣାରେ ମରାମତି କରିବା ପାଇଁ ତିନିମାସ ପୂର୍ବେ  ନେଇଯାଇଛନ୍ତି। ଏଯାଏଁ ମରାମତି ହୋଇପାରିନଥିବା ଯୋଗୁଁ ନାଉରି ପୁଣିଥରେ ନିଜ ଦେଶୀ ଆହୁଲା ଡଙ୍ଗାରେ ଲୋକଙ୍କ ସହିତ ମଟର ସାଇକଲକୁ ଅସୁରକ୍ଷିତ ଭାବେ  ନଦୀ ପାର କରାଉଛନ୍ତି।

ତେବେ ସରକାର ଏହି ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ବିଧାୟକ କହିଛନ୍ତି ଏଥର ବ୍ୟକ୍ତିଗତ ଉଦ୍ୟମ କରିବେ ଓ ପୋଲ ନିର୍ମାଣ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅପରପକ୍ଷରେ ଏନେଇ ଜିଲ୍ଲାପାଳଙ୍କୁ ଜଣାଇବେ ଓ ପୋଲ ନିର୍ମାଣ ପାଇଁ ଦାବି କରିବେ ବୋଲି କହିଛନ୍ତି କୋରାପୁଟ ପିଡି-ଡିଆରଡିଏରେ ଥିବା ଇନ୍‌ଚାର୍ଜ।

You might also like