ନିୟମ ମାନୁନାହାନ୍ତି ଲୋକେ: ବଢୁଛି ସଂକ୍ରମଣ

ମାସ୍କ ପିନ୍ଧୁନାହାନ୍ତି ଲୋକେ

ଭୁବନେଶ୍ୱର: ସହର ପରେ ଗାଁରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ତେବେ ଏ ନେଇ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁନି ସଚେତନତା। ବିନା ମାସ୍କରେ ବୁଲୁଛନ୍ତି ସମସ୍ତେ। ବାଲେଶ୍ୱର ନୀଳଗିରି କୁଲଢିଆ ଅଭୟାରଣ୍ୟ ପାଦଦେଶରେ ଥିବା ସିଆଡିମାଳ ପଞ୍ଚାୟତର ସିନ୍ଦୁରିଆ ଗାଁରେ ସଚେତନତା କଥା ନ କହିବା ଭଲ। ଗାଁରେ ୫୦ରୁ ୬୦ ଆଦିବାସୀ ପରିବାର ରୁହନ୍ତି। ମାତ୍ର ପିଲାଠୁ ବୁଢ଼ା କାହାରି ମୁହଁରେ ନାହିଁ ମାସ୍କ। ଏକାଠି ହୋଇ ଲୋକେ ବସଉଠ କରୁଥିଲେ ବି କେହି ମାସ୍କ ପିନ୍ଧୁ ନାହାନ୍ତି।ତେଣୁ ସଂକ୍ରମଣ ବଢୁଥିବା କୁହାଯାଉଛି।

ସେପଟେ, ବରିଷ୍ଠ ନାଗରିକଙ୍କ ଟିକାକରଣ ଏବଂ କରୋନା ଟେଷ୍ଟିଂ ପାଇଁ ଡୋର୍ ଷ୍ଟେପ୍ ବ୍ୟବସ୍ଥା ପରେ ଏବେ ଗର୍ଭବତୀଙ୍କ ଲାଗି ବି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ। BMC ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ଘରକୁ ଘର ଯିବ ଟିମ୍। ଘରକୁ ଯାଇ କୋଭିଡ୍‌ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରାଯିବ। ଏଥିପାଇଁ 1929କୁ ଫୋନ୍ କରିପାରିବେ ଗର୍ଭବତୀ କିମ୍ବା ତାଙ୍କ ସମ୍ପର୍କୀୟ। ଏନେଇ ଟୁଇଟ୍ କରିଛି ଭୁବନେଶ୍ୱର ମହାନଗର ନିଗମ।

ସେପଟେ, ରାଉରକେଲାରେ ଦିବ୍ୟାଙ୍ଗ ଏବଂ ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଘରେ କରାଯିବ ଟିକାକରଣ। ଲୋକଙ୍କ ଘରୁକୁ ଯାଇ କରାଯିବ ଟିକାକରଣ। ଦିବ୍ୟାଙ୍ଗ ଏବଂ କୌଣସି କାରଣରୁ ଶଯ୍ୟାଶାୟୀ ହୋଇଥିଲେ ସେହି ଲୋକଙ୍କ ଘରକୁ ଯାଇ ଟିକାକରଣ କରାଯିବ। ଏଥିଲାଗି ସଂଜୀବନୀ ରଥର ବ୍ୟବସ୍ଥା କରିଛି। ରାଉରକେଲା ମହାନଗର ନିଗମ ଏହି ସଂଜୀବନୀ ରଥ ଘରକୁ ଘର ବୁଲି ଟିକାକରଣ କରିବ। ଦିବ୍ୟାଙ୍ଗ ଏବଂ ଶଯ୍ୟାଶାୟୀ ଲୋକଙ୍କୁ ଟିକାକରଣ ଲାଗି ଏକ ସ୍ୱତନ୍ତ୍ର ଫୋନ ନମ୍ବର ଜାରି କରାଯାଇଛି। ଏହି ଫୋନ ନମ୍ବର ହେଉଛି ୦୬୬୧-୨୫୧-୦୦୩୬। ସକାଳ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ଏହି ନମ୍ବରକୁ ଫୋନ କରି ଟିକାକରଣ ବ୍ୟବସ୍ଥାର ସୁବିଧା ଉଠାଇ ପାରିବେ। ଏ ନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଏପଟେ, ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଏଏନଏମ୍ କର୍ମୀ ଓ ଆଶାକର୍ମୀ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ ଚାଲୁ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସର୍ଭେରେ ନିୟୋଜିତ ଥିବା ଆଶାକର୍ମୀ ଓ ଏଏନଏମ୍ କର୍ମୀଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଦିଆଯିବ । ଖାଲି ସେତିକି ନୁହେଁ ସଙ୍ଗରୋଧ ଦାୟିତ୍ୱରେ ଥିବା ଆଶାକର୍ମୀଙ୍କୁ ସାଇକେଲ୍, ଚପଲ, ଛତା, ଟର୍ଚ୍ଚ, ପାଇଁ ୧୦ ହଜାର ଟଙ୍କା ଦିଆଯିବ। ସେହିଭଳି କୋଭିଡ୍ ନିୟନ୍ତ୍ରଣରେ ଏଣିକି ଗାଁ କଲ୍ୟାଣ ସମିତି ସାମିଲ୍ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କୁ ମଧ୍ୟ ବିଭିନ୍ନ ଖର୍ଚ୍ଚ ପାଇଁ ୧୦ ହଜାର ଟଙ୍କା ଦିଆଯିବ । ଅନ୍ୟପଟେ ଲକଡାଉନ୍ ଓ ଟିଏମସି ସଂପର୍କରେ ନିଷ୍ପତ୍ତି ନେବେ ସରପଞ୍ଚ ।

You might also like