ଅଶାନ୍ତ ହେଉଛି ସମୁଦ୍ର: ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ନେଇଯାଉଛି ପ୍ରଶାସନ

ଗାଁ ବୁଲିଲେ ଜିଲ୍ଲାପାଳ

ବାଲେଶ୍ୱର: ବାତ୍ୟା ୟାସର ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଞ୍ଚୁବିସା ଜେଟି ନିକଟରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଫଳରେ ପୋଲିସ ପ୍ରଶାସନ ଓ ମତ୍ସ୍ୟ ବିଭାଗ ପକ୍ଷରୁୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଉଛି l ବାତ୍ୟାର ପ୍ରଭାବରେ ଜେଟି ପାଖରେ ସମୁଦ୍ର ଜୁଆର ବଢିବାରେ ଲାଗିଛି। ତେଣୁ ପୋଲିସ ପ୍ରଶାସନ ସମସ୍ତଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରିଛି l ବାତ୍ୟା ୟାସର ପ୍ରଭାବ ଅତ୍ୟନ୍ତ ଭୟଙ୍କର ରହିଥିବାରୁ ସମସ୍ତେ ଭୟଭୀତ ରହିଛନ୍ତି l  ସମୁଦ୍ରରେ ଜୁଆର ଚାରି ଫୁଟରୁ ଅଧିକ ଆସିବ ବୋଲି ଅନୁମାନ କରାଯାଉଥିବାରୁ ସମସ୍ତେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।

ସେପଟେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳବର୍ତ୍ତୀ ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ସମର୍ଥ ବର୍ମା। ପୁରୀ ଏସପି କନୱର ବିିଶାଲ ସିଂ ମଧ୍ୟ ତାଙ୍କ ସହ ଯାଇ ଲୋକଙ୍କୁ ସଚେତନ କରାଇଛନ୍ତି। ପୁରୀ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କିଛି ଗାଁ ସମୁଦ୍ର ଠାରୁ ଦୁଇଶହ ମିଟର ଦୂରରେ ଥିବାରୁ ଗାଁ ଲୋକଙ୍କୁ ଭେଟି ରନ୍ଧା ଖାଦ୍ୟ ଦେବାକୁ ଅସ୍ତରଙ୍ଗ ବ୍ଲକ ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜିଲ୍ଲାପାଳ କେଉଟଜଙ୍ଗା, ତଣ୍ଡାହର, ଉଦୟକଣି, କଅଁରପୁରର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାତ୍ୟା ପରବର୍ତ୍ତୀ ସ୍ଥିତିରେ ରାସ୍ତାଘାଟ ସଫାକରିବା ଓ ରିଲିଫ କାର୍ଯ୍ୟ କିପରି କରାଯିବ ସେନେଇ ପୁରୀ ଏସପି ଏହାର ସମୀକ୍ଷା କରୁଛନ୍ତି।

ଏପଟେ, ବାତ୍ୟା ୟାସ୍ ଲ୍ୟାଣ୍ଡଫଲ କରିବା ପୂର୍ବରୁ ସମୁଦ୍ର ଉପକୂଳ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରୀ ଜିଲ୍ଲା ଉପରେ ଯଦିଓ ବାତ୍ୟା ୟାସର ପ୍ରଭାବ ସେତେଟା ଜୋର ନାହିଁ ତଥାପି ପବନ ଓ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଲୋକଙ୍କୁ ବତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ଆରମ୍ଭ କରିଛି। ଜିଲ୍ଲାରେ ମୋଟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ଯୋଜନା ରଖିଥିବା ବେଳେ ଅପରାହ୍ନ ମଧ୍ୟରେ ୩ ହଜାର ୫୦୦ରୁ ଅଧିକ ଲୋକଙ୍କୁ ସ୍ତାନାନ୍ତର କରାଗଲାଣି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ୩୦୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଆଉ ବାତ୍ୟା ୟାସର ମୁକାବିଲା ପାଇଁ ଭଦ୍ରକରେ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଛି। ଭଦ୍ରକ ଜ଼ିଲ୍ଲାର ୫୪ କିଲୋମିଟର ସମୁଦ୍ର ଉପକୂଳରେ ଥିବା ୫ ଟି ଥାନା, ୩ ଟି ମେରାଇନ ଥାନା ଅଧୀନରେ ଥିବା ୧୪ ଗୋଟି ପଞ୍ଚାୟତର ୪୧ ଗୋଟି ଗ୍ରାମର ୯୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କିପରି ଅଣାଯାଇପାରିବ ସେଥିପାଇଁ NDRF ଓ ଓଡ୍ରାଫ୍ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଂଚଳରେ ଥିବା ୭୦୦ ଟି ସ୍କୁଲ ଓ ୧୦୬ ଟି ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଲୋକମାନଙ୍କୁ ରଖାଯିବ ବୋଲି ଜଣାପଡିଛି।  ରାତିରେ ପାଖାପାଖି ୧୦୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। କିଛି ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ନିଜସ୍ୱ ଇଚ୍ଛାରେ ଆସିଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ସମାପ୍ତ ହେବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ।

You might also like