ବିଜୁଳି ପାଇଁ ଡହଳ ବିକଳ ଲୋକେ

୨ରୁ ୩ ଦିନ ମଧ୍ୟରେ ରାଜଧାନୀରେ ଉପଭୋକ୍ତା ବିଜୁଳି ପାଇପାରିବେ। ଆଶ୍ୱାସନା ଦେଲେ ଓପିଟିସିଏଲ ନିର୍ଦ୍ଦେଶକ

ଭୁବନେଶ୍ୱର :  ବିଦ୍ୟୁତ୍‌ ବ୍ୟବସ୍ଥା ଉଜାଡ଼ି ଦେଇଛି ବାତ୍ୟା ଫୋନି। ବିଶେଷ କରି ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧାରେ ଏତେ ମାତ୍ରାରେ କ୍ଷୟକ୍ଷତି ହୋଇଛି ଏବଂ ଏତେ ବିୁଦ୍ୟତ ଖୁଣ୍ଟି ଉପୁଡ଼ିଛି ଯେ, କେବେ ଲୋକେ ଅନ୍ଧାରରୁ ମୁକ୍ତି ପାଇବେ, ତାହା କହିବା ମୁସ୍କିଲ।

ଲୋକେ ବିଜୁଳି ପାଇଁ ଡହଳ ବିକଳ ହେଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟରେ ଲାଗିଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ। ତେବେ ଆଜି ସୁଦ୍ଧା ଭୁବନେଶ୍ୱରରେ ୧୫ ପ୍ରତିଶତ କାମ ହୋଇଥିବା ସୂଚନା ଦେଇଛନ୍ତି ସେସୁର ସିନିଅର ଜେନେରାଲ ମ୍ୟାନେଜର ସୁବ୍ରତ ମିଶ୍ର।

ସେପଟେ ଦୁଇରୁ ତିନି ଦିନ ମଧ୍ୟରେ ରାଜଧାନୀର ଅଧିକାଂଶ ଉପଭୋକ୍ତା ବିଜୁଳି ପାଇପାରିବେ। ଆଜି ପୁଣି ଏ ଆଶ୍ୱାସନା ଦେଇଛି ଓଡିଶା ପାଓ୍ୱାର ଟ୍ରାନ୍‌ସମିଶନ କର୍ପୋରେସନ ବା  ଓପିଟିସିଏଲ। ଜରୁରୀ ସେବା ଯୋଗାଉଥିବା ସଂସ୍ଥା ଗୁଡିକୁ ବିଜୁଳି ଦିଆଯିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ଓପିଟିସିଏଲ ନିର୍ଦ୍ଦେଶକ ଉତ୍ତମ କୁମାର ସାମଲ। ତେବେ ଚନ୍ଦକାରେ ଓପିଟିସିଏଲର ଏକ ୨୨୦ କେଭି ଟାଓ୍ୱାର ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବାରୁ ବିଜୁଳି ସରବରାହରେ ସମସ୍ୟା ହୋଇଛି। ଆଜି ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି ଚାଲିଛି।

You might also like