ଭତ୍ତା ପରେ ଏବେ ଆଗୁଆ ମିଳିପାରେ ପିଡିଏସ୍ ସାମଗ୍ରୀ

ଭୁବନେଶ୍ୱର: ଆଗୁଆ ଭତ୍ତା ପରେ ଏବେ ତିନି ମାସ ପାଇଁ ଆଗୁଆ ପିଡିଏସ୍ ସାମଗ୍ରୀ ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ସରକାର। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଚାରବିମର୍ଶ କରୁଛି। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଏହାସହ ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ୍ ରହିଛି। ଏଣୁ ଲୋକେ ଆତଙ୍କିତ ହୋଇ ଅଯଥା କିଣାକିଣି କରି ଖର୍ଚ୍ଚାନ୍ତ ନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ କରୋନା ମୁକାବିଲା ସଂପର୍କରେ ଆଲୋଚନା କରିଛନ୍ତି ମନ୍ତ୍ରୀ। ଜିଲ୍ଲାସ୍ତରରେ ଯେପରି ସରକାରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୁଏ, ସେଥିଲାଗି ଯତ୍ନବାନ ହେବାକୁ ସେ ଜିଲ୍ଲାପାଳଙ୍କୁ କହିଛନ୍ତି।

ଏହାଛଡ଼ା କଳାବଜାରୀ ରୋକିବା ଲାଗି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅହେତୁକ ମାସ୍କ ବ୍ୟବହାର ନ କରିବା ନେଇ ରଣେନ୍ଦ୍ର କହିଛନ୍ତି ଯେ, ୫ରୁ ଅଧିକ ଲୋକ ଥିବା ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ। ନ ହେଲେ ମାସ୍କ ପିନ୍ଧିବାର କୌଣସି କାରଣ ନାହିଁ। ସବୁବେଳେ ଘରେ ରହିବାକୁ ଚେଷ୍ଟା କରନ୍ତୁ। ଯଥାସମ୍ଭବ ସ୍ୱଚ୍ଛତା ଅବଲମ୍ବନ କରିବା ସହିତ ସାନିଟାଇଜରରେ ହାତ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହିତ ଗୁଜବରେ ବିଶ୍ୱାସ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେବା ସହିତ ଗୁଜବକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

You might also like