ହିତାଧିକାରୀଙ୍କ ଦାନା ଖାଇ ଦେଉଛନ୍ତି ଡ଼ିଲର

ପିଡିଏସ୍ ସାମଗ୍ରୀ ବାଟମାରଣା ଅଭିଯୋଗ

ଚୌଦ୍ୱାର(ପ୍ରକାଶ ନାୟକ): ପିଡିଏସ୍ ସାମଗ୍ରୀ ବାଟମାରଣା ଅଭିଯୋଗ। କଟକ ଚୌଦ୍ୱାର ବ୍ଲକରେ ଦିଆଯାଉଥିବା ପିଡିଏସ୍ ସାମଗ୍ରୀରେ ହରିଲୁଟ୍ ହେଉଥିବା ନେଇ ଅଭିଯୋଗ ହୋଇଛି। ମୁଣ୍ଡପିଛା ୫ କିଲୋ ଚାଉଳ, ଗହମ ଓ କିରୋସିନିକୁ ଡିଲର ପିଡିଏସ ଖାତାରେ ପକାଇ, ସେଥିରୁ ଓଜନରେ କମ ପରିମାଣର ସାମଗ୍ରୀ ଦେଉଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଆଉ ପ୍ରତିବାଦ କଲେ ଡିଲର ଦୁର୍ବବ୍ୟହାର କରୁଥିବା ବି ଅଭିଯୋଗ ହୋଇଛି।

କରୋନା ଦାଉ ଏବଂ ଲକଡାଉନ୍‌ ଯୋଗୁଁ ଗରିବ ଖଟିଖିଆଙ୍କ ପରିବାର ପ୍ରତିପୋଷଣରେ ସମସ୍ୟା ହେଉଥିବା ବେଳେ ମାଗଣା ରାସନ ସାମଗ୍ରୀରେ ବାଟମାରଣା ଚିନ୍ତାକୁ ଦ୍ୱିଗୁଣିତ କରିଛି। ଝାଟି ମାଟି, ଚାଳ ଏବଂ ଜରି ଛପର ଘରେ ଚଳୁଥିବା ଟାଙ୍ଗିର ଏହି ଗରିବ ପରିବାର ଗୁଡିକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ମଧ୍ୟରୁ କିଏ ଉଠାଦୋକାନ ତ କିଏ ଛୋଟ ମୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି। ଏବେ ଲକଡାଉନ୍‌ ପାଇଁ ସବୁ କିଠି ଠପ୍ ହୋଇଯାଇଛି। ଗୋଟେ ପଟେ ବେପାର ଶୂନ ଅନ୍ୟପଟେ ପିଡିଏସ୍ ସାମଗ୍ରୀରେ ବାଟମାରଣା ହେଉଛି। କୋଭିଡ୍ ଲକଡାଉନ୍ ସମୟରେ ସରକାର ୨ ମାସର ମାଗଣା ରାସନ ସାମଗ୍ରୀ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁଣ୍ଡପିଛା ୫କେଜି ଚାଉଳ, ଗହମ ଏବଂ କିରୋସିନ୍ ବ୍ୟବସ୍ଥା କଲେ ତେବେ ସେହି ସାମଗ୍ରୀକୁ ଡିଲର ବାଟମାରଣା କରୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ।

ସେପଟେ, ହିତାଧିକାରୀ ଅଭିଯୋଗ କରିଛନ୍ତି ଯେ, ସରକାର ଦେଉଥିବା ଚାଉଳ ସେମାନେ ସଠିକ୍‌ ଭାବରେ ପାଉନାହାନ୍ତି। ଏହାସହ ସେ କହିଛନ୍ତି, ସରକାର ୫ କିଲୋ କିରୋସିନି ଦେଲେ ଆମକୁ ମିଳୁଛି ୩ କିଲୋ। ଆମେ ଡିଲର ଚେଞ୍ଜ କରିବୁ ବୋଲି ଲୋକେ କହିବା ସହ ମାତ୍ର ୨ ଦିନ ଜିନିଷ ଦେଉଛି। ପରେ ଗଲେ କହୁଛି, ଆଉ ଜିନିଷ ନାହିଁ। ଏହାସହ ଡିଲର ଯେଉଁ ଭାଷା କହୁଛି ତାହା ପାଡଟିରେ ଧରିହେବ ନାହିଁ ବୋଲି ହିତକାଧିକାରୀମାନେ ଅଭିଯୋଗ କରିଛନ୍ତି। ଡିଲରଙ୍କ ମନମାନି ପାଇଁ ହିନସ୍ତା ହେଉଛନ୍ତି ଲୋକେ।

ଡିଲରଙ୍କ ମନମାନି ନେଇ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଜଣାଯାଇଛି। ହେଲେ କୌଣସି ସୁଫଳ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି। କେବଳ ଟାଙ୍ଗୀ ନୁହେଁ ଚୌଦ୍ୱାର ପୌରାଞ୍ଚଳର ୬ନମ୍ବର ଓ୍ୱାର୍ଡରେ ମଧ୍ୟ ସମାନ ଘଟଣା ଘଟିଛି। ଏନେଇ ହିତାଧିକାରୀ ମାନେ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବ୍ଲକ ଖାଦ୍ୟ ଯୋଗାଣ ଅଧିକାରୀ କହିଛନ୍ତି, ଘଟଣାର ତଦନ୍ତ କରାଯିବ।

You might also like