‘୨୦ ଲକ୍ଷ କୋଟିର ପ୍ୟାକେଜ ପାଇଁ ଟଙ୍କା କେଉଁଠୁ ଆସିବ ?’

ଭୁବନେଶ୍ୱର: ଦେଶକୁ ସମ୍ବୋଧନ କରିବାବେଳେ  ପ୍ରଧାନମନ୍ତ୍ରୀ ମୋଦି ଗତକାଲି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। କରୋନା ମୁକାବିଲା ସହ ଦେଶର ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ଏହି ଆର୍ଥିକ ସହାୟତାର ଘୋଷଣା କରିଛନ୍ତି ସରକାର। ହେଲେ ଏହାକୁ ନେଇ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି।

ପ୍ୟାକେଜ୍ ପାଇଁ ଟଙ୍କା କେଉଁଠୁ ଆସିବ ? ଏନେଇ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ। ଘୋଷଣା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କା ବଜେଟରୁ ଆସିବ ନା ଅନ୍ୟ କେଉଁଠୁ ଆଣିବେ ସରକାର ? ଏହାସହ ମୋଦିଙ୍କ ଲୋକାଲ୍ ସାମଗ୍ରୀ ବ୍ୟବହାର ନିବେଦନ କିଛି ନୂଆ କଥା ନୁହେଁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

ପୂର୍ବରୁ ଏନେଇ ମହାତ୍ମା ଗାନ୍ଧି ଡାକରା ଦେଇଛନ୍ତି।  ବିଦେଶୀ ଜିନିଷକୁ ବନ୍ଦ କଲେ ଆମ ଉତ୍ପାଦିତ ସାମଗ୍ରୀର ଚାହିଦା ବଢ଼ିବ। ଏନେଇ ମୋଦି କଣ ନିଷ୍ପତ୍ତି ନେଇପାରିବେ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ତେବେ ପ୍ୟାକେଜରେ ଗରିବ, ଚାଷୀ ଓ ମଧ୍ୟବିତ୍ତଙ୍କ ସୁବିଧା ପାଇଁ ଥିବା ଆଶା ଥିବା ନିରଞ୍ଜନ କହିଛନ୍ତି ।

ଅନ୍ୟପକ୍ଷେ ,  ଏହି ପ୍ୟାକେଜ୍‌ରେ କିଛି ନୂତନତ୍ତ୍ୱ ନାହିଁ ବୋଲି କହିଛନ୍ତି କଂଗ୍ରେସର ପୁରୁଖା ନେତା ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି , “ଆରବିଆଇର ଘୋଷଣା  ଅନୁଯାୟୀ, ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କଲେ। ହେଲେ ଓଡ଼ିଶାର ଭାଗ କେତେ ପଡ଼ୁଛି ଓ କ’ଣ ବିକାଶ ହେବ ତାହା ସମୟ କହିବ। ’

You might also like