କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ ଘଟଣାରେ ପାଟଣାଗଡ଼ ବିଧାୟକ ଅଟକ
ବଲାଙ୍ଗିର (ମନୋରଞ୍ଜନ ଯୋଶୀ): କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରାଇବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା ମିଳିଛି।
ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଛି। କୌଣସି ଏକ ଅଜଣା ସ୍ଥାନରେ ବିଧାୟକଙ୍କୁ ପୁଲିସ୍ ଜେରା କରୁଥିବା ଜଣାପଡ଼ିଛି।
ପାଟଣାଗଡ଼ର ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠ୍ବସ୍ ଘଟଣାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୨୬ରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ ସଂଘ ଧମକ ଦେଇଥିବା ବେଳେ ଆଜି ତାଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା ଆସିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା। ସେହିଭଳି ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲା।
ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍ ମଧ୍ୟରେ ଶହେ ଥର ଉଠ୍ବସ୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଠ୍ବସ୍ ନ ହେଲେ ଲୋକେ ମାଡ଼ ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା।
ଏ ଘଟଣା ନେଇ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଆଇପିସି ଓ ଏସ୍ସି ଏବଂ ଏସ୍ଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା। ବିଧାୟକ ସରୋଜ ମେହର ଏ ଘଟଣା ପାଇଁ କ୍ଷମା ମାଗିବା ସହ ନିଜ ଭୁଲ୍ ବି ସ୍ୱୀକାର କରିଥିଲେ। ଏସବୁ ସତ୍ତ୍ୱେ ପୁଲିସ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।