ପାଟକୁରାରେ ଜମୁଛି ନିର୍ବାଚନୀ ପ୍ରଚାର
ଭୁବନେଶ୍ୱର: ପାଟକୁରା ନିର୍ବାଚନକୁ ରହିଲା ଆଉ ମାତ୍ର ୬ ଦିନ। ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ବିଶେଷ କରି ବିଜେଡି ଓ ବିଜେପି ଜୋରଦାର ପ୍ରଚାର କରୁଛନ୍ତି।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଡେରାବିଶର ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଭୋଟ୍ ମାଗିଛନ୍ତି। ବାରିମୂଳ ପଞ୍ଚାୟତରେ ମଧ୍ୟ ଏକ ବିରାଟ ବାଇକ୍ ରାଲି କରାଯାଇଥିଲା। ଏଠାରେ ନିଶ୍ଚିତ ଭାବେ ବିଜେପିର ବିଜୟ ହେବ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।
ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ ପ୍ରଚାର ଅଭିଯାନରେ ସାମିଲ ହୋଇରିଛନ୍ତି। ବାଇକ୍ ରାଲି କରିବା ସହ ଏକ ନିର୍ବାଚନୀ ପ୍ରଚାର ସଭାରେ ଦାମୋଦର ରାଉତ ଉଦ୍ବୋଧନ ଦେଇଛନ୍ତି। ୨୦ ବର୍ଷ ପରେ ପାଟକୁରା ଫେରିଥିବା ବିଜୟ ମହାପାତ୍ରଙ୍କ ପାଇଁ ସାଧାରଣ ଲୋକଙ୍କ ସମର୍ଥନ ରହିଥିବା ଦାମ ରାଉତ କହିଛନ୍ତି।
ଅନ୍ୟପକ୍ଷେ ବିଜେଡି ଚଟରା ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀ କରିଛି। ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବା ସହ ଏହି ବିକାଶ ଧାରାକୁ ଅବ୍ୟାହତ ରଖିବାକୁ ଭୋଟରଙ୍କୁ ନିବେଦନ କରୁଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ।
ସୂଚନା ଥାଉ କି, ଆସନ୍ତା ୨୦ ତାରିଖରେ ଭୋଟ୍ ଗ୍ରହଣ ଥିବାବେଳେ ୧୮ ତାରିଖ ସଂଧ୍ୟାରେ ପ୍ରଚାର ସରିବ।