ପାଟକୁରା ଭୋଟ : ଦିନ ୩ଟା ସୁଦ୍ଧା ୬୧% ମତଦାନ ହୋଇଥିବା ସୂଚନା

ପାଟକୁରା  : ପାଟକୁରା ବିଧାନସଭା ଆସନ ଲାଗି ଚାଲିଛି ମତଦାନ। ଦିନ ୩ଟା ସୁଦ୍ଧା ୬୧% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କୁଶିଆପାଳ ବୁଥ୍ ନଂ ୩୨ରେ ଉତ୍ତେଜନା ଦେଖାଦେଇଛି। ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିବ ସୂଚନା ମିଳିଛି। ଆଜି ସକାଳୁ ୨୭୮ ନମ୍ବର ବୁଥ୍‌ରେ EVMରେ ତ୍ରୁଟି ପରିଲକ୍ଷିତ ଯୋଗୁଁ ଭୋଟ୍ ଗ୍ରହଣରେ କିଛି ସମୟ ପାଇଁ ବିଳମ୍ବ ହୋଇଥିଲା। ତ୍ରୁଟି ସୁଧାରିବା ପରେ ମତଦାନ ହୋଇଥିଲା।

ସେହିଭଳି କିଣିଲୋର ୩୦୭ ନମ୍ବର ବୁଥ୍‌ରେ ଚିର୍‌କୁଟକୁ ନେଇ ଏଜେଣ୍ଟ-ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ  ଧସ୍ତାଧସ୍ତି ହୋଇଥିଲା। ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ନିର୍ବାଚନମଣ୍ଡଳୀର ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ଏମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ କରିବେ। ୩୦୯ଟି ମତଦାନ କେନ୍ଦ୍ରରୁ ୨୨୦ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

୩୧ଟି ବୁଥ୍‌ରେ ୱେବ୍ କାଷ୍ଟିଂ ଓ ୧୫ଟି ବୁଥ୍‌ରେ ଭିଡ଼ିଓଗ୍ରାଫି ବ୍ୟବସ୍ଥା ହେବା ସହ ମୋଟ ୪ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ପାଟକୁରା ବିଧାନସଭାରେ ଆଜି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

You might also like