ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ
ରାଜ୍ୟର ଅନ୍ୟ ପ୍ରସଙ୍ଗ ଛାଡ଼ି ପାଟକୁରା ପ୍ରଚାରରେ ମାତିଛନ୍ତି ଶାସକ ଦଳର ଅଧିକାଂଶ ବିଧାୟକ ଓ ମନ୍ତ୍ରୀ
କେନ୍ଦ୍ରାପଡ଼ା / ଭୁବନେଶ୍ୱର : ବିଧାନସଭାରେ ରହୁନାହାଁନ୍ତି ଶାସକ ଦଳର ଅଧିକାଂଶ ବିଧାୟକ କି ମନ୍ତ୍ରୀ। କାରଣ ଏବେ ପାଟକୁରା ନିର୍ବାଚନ ପ୍ରଚାରରେ ସମସ୍ତେ ବ୍ୟସ୍ତ। ଏହାକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ପ୍ରଶ୍ନକାଳରେ ବାଚସ୍ପତି ବିଜେଡିର କିଛି ପ୍ରଶ୍ନକର୍ତ୍ତା ବିଧାୟକଙ୍କ ନାଁ ଡାକିଥିଲେ ବି ଅଧଂକାଶ ଅନୁପସ୍ଥିତି ଥିଲେ।
ବିଧାୟକ ରାଜେନ୍ଦ୍ର ସାହୁ, ପ୍ରୀତିରଂଜନ ଘଡ଼େଇ, ପ୍ରତାପ ଦେବ, ଅନନ୍ତ ଜେନା ଓ ପ୍ରଶାନ୍ତ ବେହେରା। ପ୍ରଶ୍ନକାଳରେ ଶାସକ ଦଳର ଏସବୁ ବିଧାୟକଙ୍କ ନାଁ ଡାକିଥିଲେ ବାଚସ୍ପତି। ହେଲେ ଜଣେ ବି ଉପସ୍ଥିତ ନଥିଲେ।
ବିଧାନସଭାରେ ଅନୁପସ୍ଥିତ ଥିବା ଏହି ନେତାମାନଙ୍କୁ କିନ୍ତୁ ଦେଖିବାକୁ ମିଳିଥିଲା ପାଟକୁରା ମୈଦାନରେ। ସମସ୍ତେ ଲାଗିଛନ୍ତି ନିର୍ବାଚନୀ ପ୍ରଚାରରେ। କେବଳ ଏହି ୫ ବିଧାୟକ ନୁହଁନ୍ତି, ବିଜେଡିର ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ଏବେ ପାଟକୁରାରେ ଡେରା ପକାଇଛନ୍ତି।
ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ଜିତାଇବା ପାଇଁ କରୁଛନ୍ତି ଜୋର୍ଦାର ଉଦ୍ୟମ।
ସଚିବାଳୟର ମନ୍ତ୍ରୀ କରିଡର୍ ଖାଁ ଖାଁ । ମନ୍ତ୍ରୀଙ୍କ ଚ୍ୟାମ୍ବର ପୁରା ଅନ୍ଧାର । ଅଧିକାଂଶ ମନ୍ତ୍ରୀ ସଚିବାଳୟରେ ନରହି ମାତିଛନ୍ତି ପ୍ରଚାରରେ। ଲୋକଙ୍କ ସମସ୍ୟା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଯେଉଁ ସମୟରେ ବିଧାନସଭାରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା କଥା, ସେହି ସମୟରେ ପାଟକୁରା ଯାଇ ଦଳୀୟ କାର୍ଯ୍ୟକ୍ରମରେ ମାତିଛନ୍ତି ବିଜେଡିରେ ଗଣ୍ଡାଗଣ୍ଡା ବିଧାୟକ ଓ ମନ୍ତ୍ରୀ।
ବିଧାନସଭାରେ ବିଜେଡି ଅଧିକାଂଶ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି। ବିଜେପି କହିଛି ପାଟକୁରାରେ ବିଜେଡିର ୧୦୦ଜଣ ବିଧାୟକ ପ୍ରଚାର କରୁଛନ୍ତି। ୨୬ ଜଣ ବିଧାୟକ ଆଜି ଅନୁପସ୍ଥିତ ରହିଛନ୍ତି।
କଂଗ୍ରେସ କଟାକ୍ଷ କରି କହିଛି ପାଟକୁରା ନିର୍ବାଚନ ସରିବା ପର୍ଯ୍ୟନ୍ତ ବିଧାନସଭା ବନ୍ଦ କରିଦେବା କଥା। ଅନ୍ୟପକ୍ଷରେ ବିଜେଡି ବିଧାୟକମାନେ ପାଟକୁରାରେ ଖୋଲାଖୋଲି ପ୍ରଚାରରେ ମାତି ଥିବା ବେଳେ କଥା ବାଆଁରେଇବାକୁ ପ୍ରୟାସ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ପାଟକୁରା ପତିଆରା ଲଢ଼େଇରେ ନିଜର ସବୁ କଳବଳ ଲଗାଇଦେଇଛି ବିଜେଡି। ଲକ୍ଷ୍ୟ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୁରାଇ ନଦେବା। ତେବେ ଏସବୁ ଭିତରେ ବଡ଼ ପ୍ରଶ୍ନ ଏତେ ସଂଖ୍ୟାରେ ଜିତି ପଞ୍ଚମଥର ସରକାରକୁ ଆସିବା ପରେ ଓଡ଼ିଶାବାସୀଙ୍କ ବଳ କହୁଥିବା ବିଜେଡିକୁ ଗୋଟିଏ ବିଧାନସଭା ଆସନ ଜିତିବାକୁ ଦଳକୁ ଏତେ ପରିଶ୍ରମ କାହିଁକି କରିବାକୁ ପଡୁଛି।