ପ୍ରଚାରରେ କମ୍ପୁଛି ମୈଦାନ୍; କାହାର ହେବ ପାଟକୁରା ?

କେନ୍ଦ୍ରାପଡ଼ା: ପାଟକୁରା ମହାଲଢ଼େଇକୁ ଆଉ ମାତ୍ର ୬ ଦିନ ବାକି ରହିଲା। ଏଥିପାଇଁ ପ୍ରଚାରରେ କମ୍ପୁଛି ପାଟକୁରା ନିର୍ବାଚନୀ ମୈଦାନ୍। କଳେବଳେ କୌଶଳେ ଗଡ଼ ଅକ୍ତିୟାର ପାଇଁ ଦିନରାତି ଏକ କରିଦେଇଛନ୍ତି ଦଳ। ରାଲି, ସଭା, ରୋଡ୍ ଶୋ’ ସହିତ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ବି ଚାଲିଛି। ଗାଁଠୁ ବଜାର, ଘର ଘର-ସାହି ସାହି ବୁଲି ପ୍ରଚାର କରୁଛନ୍ତି ନେତା।

ପ୍ରଚାର ପାଇଁ ହାତରେ ଆଉ ମାତ୍ର ୪ ଦିନ ଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୋଟିଏ ଦିନରେ ଉଭୟେ କେବଳ ଗରଦପୁର ବ୍ଲକ୍‌ରେ ୧୮ଟି ମାରାଥନ୍ ରୋଡ୍ ଶୋ’ କରିଥିଲେ। ଭୋଟରଙ୍କ ପାଖକୁ ଯଇ ସ୍ୱାଭିମାନର କଥା କହି ଭୋଟ୍ ମାଗିଥିଲେ ବିଜୟ।

ବିଜେଡି ବି ଫୁଲ୍ ଗିୟରରେ ଅଛି। କେଉଁଠି ସମାବେଶ, କେଉଁଠି ସଭା ତ ପୁଣି କେଉଁଠି ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ସରକାର ଯୋଜନାକୁ ଲୋକଙ୍କ ସାମ୍ନାରେ ରଖି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛି ଦଳ। ଗଡ଼ ଜିତିବାର କୌଣସି ବି ସୁଯୋଗ ହାତ ଛଡ଼ା ନକରିବାକୁ ଗାଁ ଗାଁରେ ପ୍ରଚାରରେ ମାତିଛନ୍ତି ମାଳ ମାଳ ନେତା, ବିଧାୟକ ଓ ମନ୍ତ୍ରୀ। ଯୁବ-ଛାତ୍ର ସମାବେଶ ହେଉଛି, ତା ସାଙ୍ଗକୁ ମହିଳା ଭୋଟ୍ ହାତେଇବାକୁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ବି ଚାଲିଛି।

ପାଟକୁରାର ଏ ହାଇଭୋଲ୍‌ଟେଜ୍ ପ୍ରଚାର ଟକ୍କରରେ କିନ୍ତୁ ପଛରେ ପଡ଼ିଯାଇଛି କଂଗ୍ରେସ। ବିଳମ୍ବରେ ବାହୁଡ଼ା ପରଠୁ ଦଳ ପ୍ରଚାରକୁ ଓହ୍ଲାଇଥିବା ବେଳେ ଆଜି ସାଂସଦ ସପ୍ତଗିରି ଉଲ୍ଲାକା ଓ ବିଧାୟକ ସନ୍ତୋଷ ସିଂ ସାଲୁଜା ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ପାଇଁ ମୈଦାନ୍‌କୁ ଓହ୍ଲାଇଛନ୍ତି।

ରାଜନୀତିର ତତଲା ତାଓ୍ୱାରେ ଟକ୍ ଟକ୍ ଫୁଟୁଛି ପାଟକୁରା। ଗାଁ ଗାଁରେ ଗଳିକନ୍ଦିରେ ନେତାଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏବେ ଲଢ଼େଇକୁ ଅଧିକ ରୋଚକ କରିଛି ନେତାଙ୍କ ସ୍ୱାଭିମାନ ବନାମ ବେଇମାନ୍‌ର ନାରା। ତେବେ ବାଜି କିଏ ଜିତୁଛି ତା ଉପରେ ନଜର।

 

You might also like