ଅବ୍ୟବସ୍ଥା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ : ନାହିଁ ଆବଶ୍ୟକ ବେଡ୍, ବାରଣ୍ଡାରେ ପଡ଼ି ରହୁଛନ୍ତି ରୋଗୀ

ମେଡକାଲରେ ଖାଲି ପଡ଼ିଛି ବିଶେଷଜ୍ଞ ଓ ପ୍ରଫେସର ପଦବୀ
ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ରୋଗୀ ହନ୍ତସନ୍ତ

କୋରାପୁଟ: ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ । କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡି ପଡିବା ସାଙ୍ଗକୁ ରୋଗୀ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହୋଇଛି ।

କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଦୈନନ୍ଦିନ ଜିଲ୍ଲା ସମେତ ଜିଲ୍ଲା ବାହାରୁ ଆସନ୍ତି ଶହ ଶହ ରୋଗୀ  । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ରୋଗୀ ଧାଇଁ ଆସନ୍ତି ଏଠାକୁ, ହେଲେ ଘର ନପଶୁଣୁ ଚାଳ ବାଜିବା ପରିସ୍ଥିତି । ଯେଉଁଆଡେ ଚାହିଁବେ ମାଳ ମାଳ ଗାଡି ପାର୍କିଂ ହୋଇଛି  । ଫଳରେ ରୋଗୀକୁ ନେବା ଆଣିବାରେ ଅସୁବିଧା ସୃଷ୍ଟି ହେଉଛି । ସେହିପରି ମେଡିକାଲ ପରିସରରେ ଥିବା ରିଜିଓନାଲ ଡାଇଗ୍ନୋସିସ୍ ସେଣ୍ଟରରେ ପଡିରହିଛି କୋଟି କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା ଅଲଟ୍ରାସାଉଣ୍ଡ ମେସିନ ।  ରୋଗୀମାନେ ବାହାରେ ଖର୍ଚ୍ଚାନ୍ତ ହେଉଛନ୍ତି ଏମିତିକି ରେଡିଓଲୋଜିଷ୍ଟ ମଧ୍ୟ ନଥିବା ଅଭିଯୋଗ ହୋଇଛି । ରୋଗୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ବେଡ୍ ମଧ୍ୟ ନାହିଁ । ବେଡ ଅଭାବରୁ ବାରଣ୍ଡାରେ ରହି ଚିକିତ୍ସିତ ହେଉଛନ୍ତି ରୋଗୀ

ଏମିତିକି ପରିମଳ ବ୍ୟବସ୍ଥା ମଧ୍ୟ ବିଗିଡିଯାଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ବିଶେଷଜ୍ଞ ଓ ପ୍ରଫେସର ପଦବୀ ଖାଲି ପଡି ଥିଲେ ବି ଏଯାଏ ପୂରଣ ହୋଇପାରୁନି । ଏପଟେ ମେଡିକାଲ ସୁପରିନଟେଣ୍ଡେଣ୍ଟ କହିଛନ୍ତି, ପାର୍କିଂ ଅନ୍ୟସ୍ଥାନକୁ ସ୍ଥାନାନ୍ତର ହେବ ଏବଂ ସ୍ୱଚ୍ଛତା ସହ ଅନ୍ୟ ସମସ୍ୟାର ସମାଧାନ ନେଇ ଉଦ୍ୟମ କରାଯାଉଛି।

You might also like