କଣ୍ଟାବାଞ୍ଜି ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ରୋଗୀ ମୃତ୍ୟୁ ଘଟଣା ! ମିଡିଆକୁ ଟାର୍ଗେଟ କଲେ ଉପ-ଜିଲ୍ଲାପାଳ

ବଲାଙ୍ଗୀର: କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅମ୍ଳଜାନ ଅଭାବ ହେତୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ମଙ୍ଗଳବାର ଏକ ଖବର ଓଟିଭିରେ ପ୍ରସାରିତ ହୋଇଥିଲା। ଏହି ଖବର ମୃତକଙ୍କ ପୁଅଙ୍କ ଅଭିଯୋଗକୁ ଆଧାର କରି ଏହି ଖବର ପ୍ରସାରିତ ହୋଇଥିଲା।

ତେବେ ଅମ୍ଳଜାନ ଅଭାବ ଅଭିଯୋଗକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଭୀମସେନ ସାହୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ରୋଗୀଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ଏବଂ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କର ମୃତ୍ୟୁ ହୋଇଥିଲା । ଶ୍ରୀ ସାହୁ ଆହୁରି ସ୍ପଷ୍ଟ କରିଛନ୍ତି ଯେ, କଣ୍ଟାବାଞ୍ଜି CHC ରେ ୧୬ଟି ଅମ୍ଳଜାନ ସିଲିଣ୍ଡର ଷ୍ଟକ୍ ରହିଛି। ଅମ୍ଳଜାନ ଅଭାବରୁ ତାଙ୍କର ମୃତ୍ୟୁ ହୋଇନାହିଁ।

ସେହିଦିନ ସନ୍ଧ୍ୟାରେ ଟିଟିଲାଗଡ ସବ-କଲେକ୍ଟର ସୋମେଶ ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଆଉ ସେଥିରେ ସେ, ମୃତକ ପରିବାର ଦ୍ୱାରା କରାଯାଇଥିବା ଅମ୍ଳଜାନ ଅଭାବ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ସବ୍-କଲେକ୍ଟରଙ୍କ ଏହି ସ୍ପଷ୍ଟୀକରଣକୁ ନେଇ ମଧ୍ୟ OTV ରେ ଖବର ପ୍ରକାଶ କରାଯାଇଥିଲା।

ଓଟିଭିରେ ତାଙ୍କ ସ୍ପଷ୍ଟୀକରଣ ଓ ସମ୍ବାଦିକ ସମ୍ମିଳନୀର ଖବର ପ୍ରକାଶ ପରେ ମଧ୍ୟ ସେ ଓଟିଭି ଦ୍ୱାରା ପ୍ରକାଶିତ ଖବର ମିଛ ବୋଲି ଟ୍ୱିଟ କରିଛନ୍ତି। ସେ ନିଜ ଟ୍ୱିଟରେ ଲେଖିଛନ୍ତି, ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ଏହା ଏକ ଦାୟିତ୍ୱହୀନ ରିପୋର୍ଟିଂ। କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅମ୍ଳଜାନର ଅଭାବ ନାହିଁ। ଗଣମାଧ୍ୟମ ଅଧିକ ଦାୟିତ୍ୱପୂର୍ଣ୍ଣ ଭାବରେ ରିପୋର୍ଟିଂ କରିବା ଉଚିତ। 

‘ରୋଗୀ ମେଡିକାଲରେ ପହଞ୍ଚିବା ବେଳକୁ ଅତ୍ୟନ୍ତ ଗୁରୁତର ଥିଲେ। ତାଙ୍କ ନିକଟରେ ଡାକ୍ତର ପହଞ୍ଚିବାର କିଛି ମିନିଟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ସହ ସେ ଜଣେ କୋଭିଡ୍ ରୋଗୀ ନଥିଲେ।’

You might also like