ଲକଡାଉନ୍‌ ଇଫେକ୍ଟ, ଆକୁ କିଲୋ ହେଲା ୯୦

ତାଲାବନ୍ଦ ଆରମ୍ଭରୁ ଆକାଶ ଛୁଇଁଲା ଆଳୁ-ପିଆଜ ଦର

  • ଶୂନଶାନ୍‌ ସହର, ଖାଁ ଖାଁ ରାଜପଥ
  • ମହାମାରୀର ଦ୍ୱିତୀୟ ଲହରକୁ ମାତ୍ ଦେବାକୁ ଲକଡାଉନ୍‌
  • ପ୍ରଥମ ଦିନରେ ଘରେ ରହିଲେ ଓଡ଼ିଶାବାସୀ
  • କଟକଣାକୁ ବେଖାତିର କରି ତଣ୍ଡ ଗଣିଲେ ଅମାନିଆ
  • ତାଲାବନ୍ଦ ଆରମ୍ଭରୁ ଆକାଶ ଛୁଇଁଲା ଆଳୁ-ପିଆଜ ଦର
  • କଳାବଜାରୀ ରୋକିବାକୁ ଜିଲ୍ଲା ସିଏସ୍ଓମାନଙ୍କୁ ନିର୍ଦ୍ଦେଶ
  • ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଶୂନଶାନ୍‌ ସହର, ଖାଖାଁ ରାସ୍ତା। ମହାମାରୀର ଦ୍ୱିତୀୟ ଲହରକୁ ମାତ୍ ଦେବାକୁ ୧୪ ଦିନିଆ ତାଲାବନ୍ଦର ପ୍ରଥମ ଦିନରେ ଆଜି ଘରେ ରହିଛି ଓଡ଼ିଶା। କିଛି ଅମାନିଆ ଲକ୍‌ଡାଉନ୍‌ କଟକଣାକୁ ବେଖାତିର କରି ତଣ୍ଡ ବି ଗଣିଛନ୍ତି। ହେଲେ ତାଲାବନ୍ଦର ପ୍ରଥମ ଦିନରୁ ଆଳୁ-ପିଆଜର ଆକାଶଛୁଆଁ ଦର ଖାଉଟିଙ୍କ ଚିନ୍ତା ବଢ଼ାଇଛି। ହେଲେ ମନ୍ତ୍ରୀ କିନ୍ତୁ ଟୁଇଟ୍ କରି କହିଛନ୍ତି ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ଅଛି। କଳାବଜାରୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲା ସିଏସ୍ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କରୋନାର ମାରାତ୍ମକ ଦ୍ୱିତୀୟ ଲହରିରେ ସଂକ୍ରମଣର ଚେନ୍ ଭାଙ୍ଗିବାର ପ୍ରୟାସ କରୁଛନ୍ତି ସରକାର। ଅତ୍ୟାବଶକ ସେବାକୁ ଛାଡ଼ିଦେଲେ ଶୂନଶାନ୍‌ ବଜାରଘାଟ, ଖାଁ ଖାଁ ରାଜପଥ, ଶୋଇଲା ଶୋଇଲା ଲାଗିଥିଲା ପୂରା ସହର। ଭୁବନେଶ୍ୱରରୁ ବାଲେଶ୍ୱର, କଟକରୁ ପୁରୀ, ସମ୍ବଲପୁରରୁ ରାଉରକେଲା ସବୁଠି ସମାନ ସ୍ଥିତି। ମହାମାରୀକୁ ମାତ୍ ଦେବାକୁ ୧୪ ଦିନିଆ ଲକଡାଉନ୍‌ର ପ୍ରଥମ ଦିନରେ ପୁଣି ପୁରୁଣା ଦୃଶ୍ୟର ପୁନରାବୃତ୍ତି ହୋଇଛି। ଛକକୁ ଛକ, ଗଳିକୁ ଗଳି ପୋଲିସର ଜୋରଦାର ଚେକିଂ ଚାଲିଛି। ବିନାକାରଣରେ ବାହାରକୁ ବାହାରୁଥିବା ଅମାନିଆ ଏବଂ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କୁୁ ତାଗିଦ୍, ତା ସାଙ୍ଗକୁ ତଣ୍ଡ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ ସକାଳୁ ଦିନ ୧୨ ଯାଏଁ କଟକଣା କୋହଳ ପରେ ତା ପରଠୁ ଏକଦମ୍ କଡ଼ାକ଼ଡି ଥିଲା ଲକଡାଉନ୍‌ କଟକଣା।

ହେଲେ ଲକଡାଉନ୍‌କୁ ସଫଳ କରିବା ଆଳରେ ବଲାଙ୍ଗୀର ପ୍ରଶାସନର ମାତ୍ରାଧିକ କଟକଣାକୁ ବିରୋଧ କରି ରାସ୍ତାରେ ଗଡ଼ିଥିଲା କଞ୍ଚା ପରିବା। ବଲାଙ୍ଗିର ଡେଲି ମାର୍କେଟ୍‌ରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ। ପରିବା ବିକ୍ରିବଟା ପାଇଁ ଦିନ ୧୨ଟା ଯାଏଁ ସମୟ ଥିଲେ ବି ସ୍ଥାନୀୟ ଉପଜିଲ୍ଲାପାଳ ପୋଲିସ୍ ଫୋର୍ସ ସହିତ ସକାଳ ୮ଟାରେ ମାର୍କେଟରେ ପହଞ୍ଚି ଦୋକାନ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାରୁ ଅନ୍ୟ ଉପାୟ ନପାଇ ରାସ୍ତା ଉପରେ ପରିବା ଫିଙ୍ଗି ପ୍ରତିବାଦ କରିଥିଲେ ବ୍ୟବସାୟୀ। ଆଉ ସୃଷ୍ଟି ହୋଇଥିଲା ଉତ୍ତେଜନାମୂଳକ ସ୍ଥିତି।

ଏପଟେ ଲକଡାଉନ୍‌ ଆରମ୍ଭ ହେଉ ହେଉ ଆକାଶ ଛୁଇଁଲାଣି ଆଳୁ-ପିଆଜର ଦର। କଟକରେ ତିନିଦିନ ତଳେ ଧଡ଼ା ଅର୍ଥାତ୍ ୩ କିଲୋକୁ ୪୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଆଜି କେଉଁଠି ୮୦ ତ କେଉଁଠି ୯୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ବି କିଲୋ ପିଛା ୧୦-୧୫ଟଙ୍କା ବଢ଼ିଯାଇଛି। ଭୁବନେଶ୍ୱରରେ ବି ସମାନ ସ୍ଥିତି ଦେଖାଦେଇଛି। ଏପଟେ ଟୁଇଟ୍ କରି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ବଜାରରେ ଆଳୁ, ପିଆଜ, ଡାଲି ଚାଉଳ ଭଳି ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ୍ ଅଛି। ଲକଡାଉନ୍‌ ସମୟରେ କଳାବଜାରୀଙ୍କ ଉପରେ ନଜର ରଖିବାକୁ ୩୦ ଜିଲ୍ଲାର CSOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହା ସତ୍ତ୍ୱେ ଲକଡାଉନ୍‌ର ପ୍ରଥମ ଦିନରେ ଆଳୁ-ପିଆଜର ଦରବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି।

You might also like