ଜରୁରୀ କାମରେ ଯାଉଥିଲେ ପାସ୍‌ ରଖନ୍ତୁ

ଭୁବନେଶ୍ୱର: କରୋନା ପ୍ରତି ସତର୍କ ରୁହନ୍ତୁ, କରୋନାଠାରୁ ଦୂରେଇ ରୁହନ୍ତୁ-ଏଇ ଉଦ୍ଦେଶ୍ୟରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଆଜି ବି ୨ୟ ଦିନରେ ଲକ୍‌ଡାଉନ ଜାରି ରହିଛି।  ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି।  ଅତି ଜରୁରୀ ପରିସ୍ଥିତିରେ ବାହାରକୁ ଯିବାର ଥିଲେ ପାସ୍ ଯୋଗାଇ ଦେବେ ବୋଲି କହିଛି କମିଶନରେଟ୍ ପୋଲିସ ।

ଗତକାଲିଠାରୁ ମାର୍ଚ୍ଚ ୨୯ ତାରିଖ ୯ଟା ଯାଏଁ ଲକ୍ ଡାଉନ ଲାଗୁ ହୋଇଛି । ତେଣୁ ନିହାତି ଜରୁରୀ ନ ହେଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ଗତକାଲି ଜନତା କର୍ଫ୍ୟୁ ଥିବାବେଳେ, ଆଜିଠାରୁ ଲୋକଙ୍କୁ ହୁଏତ କୌଣସି ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ବାହାରକୁ ଯିବାକୁ ପଡ଼ିପାରେ । ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଏୟାରପୋର୍ଟକୁ ଯାଉଥିଲେ ଟିକେଟ୍ ସାଥିରେ ନେଇ ଯାଆନ୍ତୁ ।

ଲକଡାଉନ ବେଳେ ସରକାରୀ ବିଜ୍ଞପ୍ତି ଅନୁସାରେ ଖୋଲା ରହିବାକୁ ଥିବା ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନେ ସାଥିରେ ପରିଚୟ ପତ୍ର ରଖନ୍ତୁ । ଏହା ବ୍ୟତୀତ ଅନ୍ୟ ବିଶେଷ ପରିସ୍ଥିତିରେ ବାହାରକୁ ଯିବାର ଥିଲେ ୧୦୦ ଡାଏଲ୍ କରି ନିଜ ଯାତ୍ରାର କାରଣ ଜଣାନ୍ତୁ।

ପୋଲିସ ପକ୍ଷରୁ ସେଭଳି ବିଶେଷ କାରଣ ପାଇଁ ମୋବାଇଲ ମେସେଜ ଦ୍ୱାରା କର୍ଫ୍ୟୁ ପାସ୍ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ପୋଲିସ କମିଶନର କହିଛନ୍ତି । ବିଭିନ୍ନ ଥାନାର ଆଇଆଇସି ମାନେ ମଧ୍ୟ ଏହି ପାସ୍ ଦେଇପାରିବେ। ସରକାରୀ ନିର୍ଦ୍ଦେଶ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଯଦି ନିହାତି ଜରୁରୀ ଅଛି ତାହେଲେ ଚାଲି ଚାଲି ଯାଆନ୍ତୁ । ପରିବାର ଭିତରେ କେବଳ ଜଣେ ଚାଲି ଚାଲି ଯାଇ ସାମଗ୍ରୀ ଆଣନ୍ତୁ ଓ ଘରକୁ ଫେରି ହାତ ଧୋଇ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ସିପି ପରାମର୍ଶ ଦେଇଛନ୍ତି।

You might also like