ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ

ଆନନ୍ଦପୁର(ମୁନା ସିଂ): କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ।  ଦ୍ରୁତ ଗତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଉପରେ ହଠାତ୍‌ ଲୁହାପଥର ବୋଝେଇ ଟ୍ରକ୍ ଖସି ପଡ଼ିଥିଲା‌। ଏହି ସମୟରେ ବସ୍‌ରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ, କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଆଜି ସକାଳେ ‘ପଦ୍ମାବତୀ’ ନାମକ ଏହି ବସ୍‌ଟି‌ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ଟି ଆନନ୍ଦପୁର ଅତିକ୍ରମ କରୁଥିବା ବେଳେ NH-୨୦ର ଶାଳପଡ଼ା ଓଭର ବ୍ରିଜ୍‌ ଉପରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଯାଉଥିଲା। ହଠାତ୍‌ ଟ୍ରକ୍‌ଟି ଭାରସାମ୍ୟ ହରାଇ ବସ୍‌ ଉପରେ ଖସି ପଡ଼ିଥିଲା। ଏହି ସମୟରେ ବସ୍‌ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଲଗାଇ ବସ୍‌ଟିକୁ ତତ୍‌କ୍ଷଣାତ୍‌ ଡାହାଣ ପଟକୁ ସାଇଡ୍‌ କରି ଦେଇଥିଲେ। ଫଳରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା। ବସ୍‌ରେ ଥିବା ୨ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖ‍ବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

You might also like