ବିଜ୍ଞାପନରେ ୮ ବର୍ଷରେ ଖର୍ଚ୍ଚ ହେଲାଣି ୩୫୦ କୋଟି ଟଙ୍କା

ଭୁବନେଶ୍ୱର: ପ୍ରଚାର ପ୍ରସାରରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ସରକାରୀ ପାଣ୍ଠି ଓ ସାଧାରଣ କରଦାତାଙ୍କଠୁ ସଂଗୃହୀତ ଅର୍ଥରୁ ପାଣି ଭଳି ଟଙ୍କା ବହୁଛି।

ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଡିସେମ୍ବର ୧ ତାରିଖ ୨୦୧୦ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ୩୫୦କୋଟି ୩୪ଲକ୍ଷ ୮୪ ହଜାର ୫୯୫ ଟଙ୍କା ଖର୍ଚ୍ଚ କରିଛନ୍ତି।  ଯେଉଁଥିରୁ କେବଳ ପ୍ରିଣ୍ଟ୍ ମିଡିଆରେ ବିଭିନ୍ନ ଯୋଜନା ବିଜ୍ଞାପନ ବାବଦକୁ ୩୧୩ କୋଟି ୭୪ ଲକ୍ଷ ୬୧ ହଜାର ଖର୍ଚ୍ଚ ହୋଇଛି।

ସେହିପରି ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ୨୧କୋଟି ୯୫ ଲକ୍ଷ ୯୩ହଜାର ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଏହାବାଦ୍ ହୋର୍ଡିଂରେ ଖର୍ଚ୍ଚ ହୋଇଛି ୧୪ କୋଟି ୬୪ଲକ୍ଷ ୨୧ହଜାର ଟଙ୍କା।

ଏଥିସହିତ ବିଧାନସଭାରେ କଂଗ୍ରେସ ବିଧାୟକ କୈଳାସଚନ୍ଦ୍ର କୁଳେସିକାଙ୍କ ପ୍ରଶ୍ନର ଉତ୍ତର ଦେଇ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ୨୦୧୮-୧୯ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷରେ ସରକାରୀ ବିଜ୍ଞାପନ ବାବଦରେ ୨୨୬ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି। ବରିଷ୍ଠ ସାମ୍ବାଦିକଙ୍କ ମତରେ ନିର୍ବାଚନୀ ବର୍ଷରେ ଭୟଭୀତ ହୋଇ, ମୂଳ ପ୍ରସଙ୍ଗଗୁଡ଼ିକରୁ ନଜର ହଟାଇବାକୁ ଏଭଳି ପ୍ରଚାର କରାଯାଉଛି।

ଅନ୍ୟପଟେ ପ୍ରଚାର ପ୍ରସାରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ କାଦୁଅ ଫିଙ୍ଗା ରାଜନୀତି ବି ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ପଯୋଜନାରେ ଯଦି ଦମ୍ ଅଛି ତାହାଲେ ଲୋକେ ରୋଜଗାର ପାଇଁ କାହିଁକି ଘର ଛାଡ଼ି ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କଂଗ୍ରେସ୍ ପ୍ରଶ୍ନ କରିଛି। ଏପଟେ ବିଜେପି କହିଛି, ନବୀନଙ୍କ ବ୍ରାଣ୍ଡ ଭାଲ୍ୟୁ କମୁଥିବାରୁ ଏବେ ଦଳ ପାଇଁ ପ୍ରଚାର ପ୍ରସାର ହିଁ ଭରସା ସାଜିଛି। ଆଉ ବିଜେଡି ବି ବିଜେପିକୁ ପାଲଟା ଆକ୍ରମଣ କରିଛି।

ପ୍ରଚାର ରାଜନୀତିରେ ପେସି ହେଉଛନ୍ତି ଜନତା। ସରକାର ଯଦି ନିଜ ଦାୟିତ୍ୱକୁ ସଠିତ୍ ତୁଲାଇଛନ୍ତି ଓ ଲୋକେ ତାକୁ ଅନୁଭବ କରି ଭୋଟ୍ ଦେଉଛନ୍ତି। ତେବେ ସେଇ ସାଧାରଣ ଲୋକଙ୍କ ପାଣ୍ଠିରୁ ବିଜ୍ଞାପନ ବାବଦରେ ଅର୍ଥ ଅପଚୟ କରିବା କେତେ ଦୂର ଯୁକ୍ତି ଯୁକ୍ତ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

You might also like