ପରୀ ହତ୍ୟା ମାମଲା; ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ୫ ବର୍ଷର ଝିଅକୁ ହରାଇଲେ। ନ୍ୟାୟ ଭିକ୍ଷା କରି ଅନେକ ବୁଲିଲେ। ସବୁଆଡୁ ହତାଶ ହେବା ପରେ ଶେଷରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ନୟାଗଡ଼ର ଦମ୍ପତି ଅଶୋକ ସାହୁ ଏବଂ ସୌଦାମିନି ସାହୁ । ୫ ବର୍ଷର ଝିଅ ପରୀର ମୃତ୍ୟୁ ଘଟଣାରେ ସେମାନେ  ଅରୁଣ ସାହୁଙ୍କ ନାଁ ନେଇଛନ୍ତି। ଆମ ଝିଅ ପରୀକୁ ମାରି ତା ଆଖି ଓ କିଡନୀ ତାଡ଼ି ନେଲେ ବୋଲି କହିଛନ୍ତି ଦମ୍ପତି।

ସେମାନେ ଅଭଯୋଗ କରିଛନ୍ତି, ନ୍ୟାୟ ମାଗିବାରୁ ସେମାନଙ୍କୁ ଗାଁରୁ ବିଦା କରାଯାଉଛି।  ଅରୁଣ ସାହୁଙ୍କ ପାଖ ଲୋକମାନେ  ଝିଅକୁ ମାରି ଦେଇଥିବା ବାପା-ମା’ ଅଭିଯୋଗ କରିଛନ୍ତି।  ସେମାନେ ସ୍ପଷ୍ଟ କହିଛନ୍ତି, ଝିଅର ହତ୍ୟା ପଛରେ ଅରୁଣ ସାହୁଙ୍କ ହାତ ରହିଛି । ମନ୍ତ୍ରୀ କିଛି କରୁନାହାନ୍ତି ବରଂ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ।

‘ସବୁଆଡୁ ବୁଲି ନିରାଶ ହୋଇଛୁ, ଆମକୁ କେହି ନ୍ୟାୟ ଦେଉନାହାନ୍ତି । ମୋ ଝିଅକୁ ମାରି ଫିଙ୍ଗି ଦେଲେ, ଆମେ କାହିଁକି ଆଉ ବଞ୍ଚିବୁ ବୋଲି’ କାନ୍ଦି କାନ୍ଦି କହିଛନ୍ତି ବାପା ଅଶୋକ ଓ ମା’ ସୌଦାମିନି।

ତେବେ ଏନେଇ ଅରୁଣ ସାହୁ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏହି ଦଂପତିଙ୍କ ଅଭିଯୋଗ ପଛରେ କେତେ ସତ୍ୟତା ରହିଛି ? ପରୀକୁ ନ୍ୟାୟ ଦେବାକୁ ମନ୍ତ୍ରୀ ଅରୁଣ ସାହୁ ଉଦ୍ୟମ କରିଥିଲେ କି ? ନା ମନ୍ତ୍ରୀ ଅରୁଣ ସାହୁ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇଥିଲେ ? ଏପଟେ ବାବୁଲି ନାୟକ ନାଁରେ ଦମ୍ପତି ଅଭିଯୋଗ ଉଠାଇଥିବା ବେଳେ ତାଙ୍କ ସହ ଅରୁଣଙ୍କର କଣ ରହିଛି ସମ୍ପର୍କ? ଅଭିଯୁକ୍ତମାନେ କଣ ଅରୁଣ ସାହୁଙ୍କ ପାଖ ଲୋକ ? ଏମିତି ଅନେକ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷେ ବିଧାନସଭା ଆଗରେ ଏତେ ବଡ଼ ଘଟଣା ଘଟିବା ପରେ ବି ମନ୍ତ୍ରୀ ଏଯାଏଁ କାହିଁକି ଦେଉନାହାନ୍ତି ପ୍ରତିକ୍ରିୟା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଏଠି କହିରଖିବୁ, ଗତ ଜୁଲାଇ ୧୪ ତାରିଖ ଦିନ ୧୦ଟାରେ  ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରିନେଇଥିଲେ । ଏନେଇ ନୟାଗଡ଼ ସଦର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।  ଅପହରଣର ୧୦ ଦିନ ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର କେତେ ଖଣ୍ଡ ହାଡ଼ ମିଳିଥିଲା ।

ପୋଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ପଚରା ଉଚରା କରୁଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇ ପାରି ନାହିଁ। ପରୀର ବାପାମା’ କହିଛନ୍ତି ଯେ ନ୍ୟାୟ ମାଗିବାକୁ ଯାଇ ସେମାନେ ଆକ୍ରୋଶର ଶିକାର ହୋଇଛନ୍ତି। ଗତ ୨୬ ତାରିଖରେ ଅଶୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ମେଡିକାଲ ଭିତରେ ମଧ୍ୟ ତାଙ୍କୁ ଆକ୍ରମଣ ହୋଇଥିଲା। ଏମିତିକି ପୁଲିସ୍‌ ଅଶୋକଙ୍କୁ ରାତିଅଧିଆ ଉଠାଇ ନେଇଥିଲା।

You might also like