ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେସଶ୍ୱର: ଗୃହ ଭିତରେ ଓ ବାହାରେ ସାରା ରାଜ୍ୟରେ ନାନା ତମ୍ବିତୋଫାନ ହେବା ପରେ ଶେଷରେ ପରୀ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଲେ ମନ୍ତ୍ରୀ ଅରୁଣ ସାହୁ। ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି ବୋଲି ଅରୁଣ ସାହୁ କହିଛନ୍ତି। ସେ ହିଂସାକୁ ବିରୋଧ କରିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି ବୋଲି ଅରୁଣ କହିଛନ୍ତି। ଏଥିସହିତ ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ ବୋଲି କହିବା ସହିତ ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଅରୁଣଙ୍କ ବିବୃତି ବେଳେ ବି ଗୃହରେ ବିରୋଧୀଙ୍କ ହୋହଲ୍ଲା ଜାରି ରହିଥିଲା। ଏଥିଯୋଗୁ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଛନ୍ତି।

ପରୀ ମୃତ୍ୟୁ ପ୍ରସଙ୍ଗରେ ଆଜି ବିଧାନସଭାରେ ହଙ୍ଗାମା କରିଥିଲେ ବିରୋଧୀ। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କମ୍ପିଥିଲା ଗୃହ। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ। ବିଜେପିର ସଦସ୍ୟମାନେ ବ୍ୟାନର ଦେଖାଇ ହୋହଲ୍ଲା କରିଥିଲେ।

ଅନ୍ୟପଟେ ପରୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କରାଯାଇଛି। ସିବିଆଇ ତଦନ୍ତ ସହ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଅପିଲ କରାଯାଇଛି। ଆବେଦନରେ ସିବିଆଇ, ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷଭୁକ୍ତ କରାଯାଇଛି।

You might also like