ପରୀ ହତ୍ୟା ମାମଲା: ମନ୍ତ୍ରୀ ଅରୁଣ ସାହୁ ଓ ସରପଞ୍ଚଙ୍କ ଭାଇରାଲ୍ ଅଡିଓକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ତୁମ୍ଭି ତୋଫାନ ଚାଲିଥିବା ବେଳେ ଏକ ଭାଇରାଲ୍ ଅଡିଓକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏହା ମନ୍ତ୍ରୀ ଅରୁଣ ସାହୁ ଏବଂ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଫୋନ୍ କଥାବାର୍ତ୍ତା ବୋଲି କୁହାଯାଉଛି।
ସରପଞ୍ଚଙ୍କୁ ମନ୍ତ୍ରୀ କହୁଛନ୍ତି- ଏ ଯେଉଁ କଥା ଗୁଡ଼ିକ କରାଉଛୁ ଭଲ କରାଉଛୁ ତ ? ତୁ ଯେତିକି କହୁଛୁ, ସେ ସେତିକି କହୁଛି, ମୁଁ ସବୁ ଜାଣୁଛି, ଚୁପ୍ ଅଛି। ଲିମିଟେସନ ବାହାରକୁ ପଳାଇ ଗଲୁଣି ତୁ……ଏଇଟା କ’ଣ ଠିକ୍ କଥା ହେଉଛି..ତୁ ଏକଥା କାହିଁକି କରାଉଛୁ। ମୁଁ ଏତେ ଖରାପ ନୁହେଁ ଯେ ମୁଁ କାହା କଥାରେ ଡାଇଭର୍ଟ ହେବି।’
ଏହି ଭାଇରାଲ୍ ଅଡିଓର ସତ୍ୟତା ଯାଞ୍ଚ କରିବା ଆମ ପକ୍ଷେ ସମ୍ଭବ ନୁହେଁ। ତେବେ ଅରୁଣ ଏବଂ ସୌମ୍ୟରଞ୍ଜନ ହିଁ ପ୍ରତିକ୍ରିୟା ଦେଇ ଏହି ଭାଇରାଲ୍ ଅଡିଓର ସତ୍ୟତା ସ୍ପଷ୍ଟ କରିପାରିବେ। ଆମେ ଉଭୟ ଅରୁଣ ଏବଂ ସୌମ୍ୟରଞ୍ଜନଙ୍କୁ ଯୋଗାଯୋଗ କରିଥିଲେ ବି ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଆହୁରି ପଢ଼ନ୍ତୁ: ମନ୍ତ୍ରୀ କହିଲେ ପରୀକୁ ହତ୍ୟା କରାଯାଇଛି; କ୍ରାଇମବ୍ରାଞ୍ଚ ତଦନ୍ତ କରିବ
ଅନ୍ୟପଟେ ନୟାଗଡ଼ର ବିଜେପି ନେତ୍ରୀ ଇରାନୀ ରାୟ ଅଭିଯୋଗ କରିଛନ୍ତି, ଭାଇରାଲ୍ ଅଡିଓରେ ମନ୍ତ୍ରୀ କହୁଛନ୍ତି ସେ ଏତେ ଖରାପ ଲୋକ ନୁହଁ ବୋଲି। ସେ ଯଦି ଭଲ ଲୋକ ତେବେ ପ୍ରେସ୍ମିଟ୍ କରି ଘଟଣାରେ ନିଜର ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ କରି ଦିଅନ୍ତୁ।