ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ହେବ କୋଷ୍ଟାଲ ହାଇୱେ

ଭୁବନେଶ୍ୱର: ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୮ ଲେନ୍ ବିଶିଷ୍ଟ ରାସ୍ତା ହେବ। ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି। ପାରାଦୀପରୁ ବଡ଼ବିଲ ଯାଏଁ ୩ଶହ କିମି ରାସ୍ତାକୁ ୮ ଲେନ୍ ବିଶିଷ୍ଟ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ-ଡୁବୁରି-କେନ୍ଦୁଝର-ରିମୁଳି-ବଡ଼ରସାହି ଦେଇ ବଡ଼ବିଲ୍‌ ଶେଷ ହେବ। ଏହି ପ୍ରସ୍ତାବିତ ଅର୍ଥନୈତିକ କରିଡର୍ ଚଣ୍ଡିଖୋଲ ସମେତ କଳିଙ୍ଗନଗର ଇସ୍ପାତ କ୍ଲଷ୍ଟରର ବିକାଶ କରିବାରେ ଏବଂ କେନ୍ଦୁଝରରୁ ଖଣିଜ ଦ୍ରବ୍ୟ ପରିବହନ ପାଇଁ ବଡ଼ ଭୂମିକା ନେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେହିପରି ଭାରତମାଳା ପରିଯୋଜନା ଅନ୍ତର୍ଗତ ଦୀଘା-ଗୋପାଳପୁର କୋଷ୍ଟାଲ୍ ହାଇେୱେ କାମ ତ୍ୱରାନ୍ୱିତ ଦିଗରେ ବି ଏହି ବୈଠକରେ ଆଲୋଚନା ହୋଇଛି। ୯ ହଜାର କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ଏହି କୋଷ୍ଟାଲ୍ ହାଇେୱେ ପାଇଁ ପରିବେଶ ମଞ୍ଜୁରୀ ସହ ସମସ୍ତ ପ୍ରକାରର ଆନୁସଙ୍ଗିକ ସହଯୋଗ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏଥିସହ ପ୍ରତି ଦୁଇମାସରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏବଂ ପ୍ରତିମାସରେ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରକଳ୍ପ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଫେଜ୍ ୱାନ୍‌ରେ ଟାଙ୍ଗିରୁ ସାତପଡ଼ା ଯାଏଁ ଏବଂ ଫେଜ-ଟୁରେ ସାତପଡ଼ାରୁ ଗୋପାଳପୁର ଯାଏଁ ନିର୍ମାଣ କାମ ହେବ। ଆଉ ସମସ୍ତ ପ୍ରକଳ୍ପ କାମର ତଦାରଖ ନିଜେ ମୁଖ୍ୟମନ୍ତ୍ରୀ କରିବେ ବୋଲି ପ୍ରତିଶୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ହୋଇଥିବା ଏହି ମିଟିଂରେ ଭୁବନେଶ୍ୱର ରିଂରୋଡ୍, ଭୁବନେଶ୍ୱର-ପୁରୀ ମଧ୍ୟରେ ୮ ଲେନ୍ ବିଶିଷ୍ଟ ଏକ୍ସପ୍ରେସ ୱେ ନିର୍ମାଣ ଆଦି ପ୍ରସଙ୍ଗରେ ବି ଆଲୋଚନା ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି।

You might also like