ଜରାଜୀର୍ଣ୍ଣ ଅବସ୍ଥାରେ ବ୍ୟାସନଗର ପାନ୍ଥଶାଳା

ସରକାରୀ ଘର ବୋଲି...

ଯାଜପୁର( ଅଭୟ ପତି): ଦିନ ଥିଲା ସେଠି ଆଶ୍ରୟ ନେଉଥିଲେ ପର୍ଯ୍ୟଟକ। ଦୂର ଦୂରାନ୍ତରୁ ଆସୁଥିବା ଲୋକଙ୍କ ପାଇଁ ସହଜ ସୁବିଧା ଥିଲା ରାତ୍ରୀ ରହଣୀ। ମାତ୍ର ଆଜି ସେ ସ୍ଥାନ ପଡ଼ି ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ। ଅନେକଙ୍କ ଆଶ୍ରୟ ସାଜିଥିବା ପାନ୍ଥନିବାସ ଆଜି ପାଲଟିଛି ଭୂତକୋଠି।

ଯାଜପୁର ବ୍ୟାସନଗରରେ ଥିବା ପାନ୍ଥଶାଳାକୁ ଯିଏ ଦେଖିବ ସିଏ ଭାବିବ ଯେପରି ବର୍ଷ ବର୍ଷରୁ ଏଠାରେ ପଡ଼ିନି କାହାରି ପାଦ। ଅପରିଷ୍କାର ଓ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି ପାନ୍ଥଶାଳା। ଆଖପାଖ ଅଞ୍ଚଳ ଘରର ଅବସ୍ଥା ବି କମ୍ ନୁହେଁ। ଛାତରୁ ଖସୁଛି ସିମେଣ୍ଟ, ବିଲ୍ଡିଂ ଉପରକୁ ମାଡ଼ି ଗଲାଣି ଅନାବନା ଗଛ। କବାଟ ଝରକା ଓ ଆସବାବପତ୍ର ସବୁକିଛି ଭାଙ୍ଗିରୁଜି ଗଲାଣି। ଯାଜପୁର ବ୍ୟାସନଗର ପୌର ପରିଷଦ ୯ ନମ୍ବର ଓ୍ୱାର୍ଡରେ ଥିବା ପାନ୍ଥଶାଳାରେ ଦେଖିବାକୁ ମିଳିଛି ଏମିକି କିଛି ଦୃଶ୍ୟ। ଖତଖାଉଛି ସରକାରଙ୍କ କୋଟି କୋଟି ଟଙ୍କାର ସଂପତ୍ତି। ପ୍ରାଶାସନିକ ଅବହେଳାରୁ ଆଜି ଏହା ଭୂତକୋଠିରେ ପରିଣତ ହୋଇଛି। ବର୍ତ୍ତମାନ ସମୟରେ ପାନ୍ଥଶାଳା ପରିସର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ।

ସେପଟେ ଏହାକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି ପୂର୍ବଚନ କାଉନସିଲର। ସେ କହିଛନ୍ତି ଯେ, ସରକାରୀ ଜିନିଷ ହୋଇଥିବାରୁ ତାହାର କେହି ଯତ୍ନ ନେଲେ ନାହିଁ। ତେଣୁ ଏ ପରି ଅବସ୍ଥା ଦେଖିବାକୁ ମିଳିଲା। ଆଉ ଡେରି ନକରି ତୁରନ୍ତ ଏହାର ଜଗାରଖା କରାଯାଉ। ସହରର ବିକାଶ ସାଙ୍ଗେ ସାଙ୍ଗେ ଏହାର ବିକାଶ କରିବାକୁ ପୂର୍ବତନ କାଉନସିଲର ଦାବି କରିଛନ୍ତି।

ସେପଟେ ପାନ୍ଥଶାଳାର କର୍ମଚାରୀମାନେ କହିଛନ୍ତି, ପୂର୍ବରୁ ଘର ଭଲ ଥିବା ବେଳେ ଲୋକମାନେ ଆସୁଥିଲେ ତେଣୁ ଦି ପଇସା ରୋଜଗାର କରୁଥିଲୁ। କିନ୍ତୁ ଏବେ କେହି ଆସୁନାହାନ୍ତି। ତେଣୁ ଆଉ ରୋଜଗାର ମଧ୍ୟ ହେଉନାହିଁ। ଦିନ ମଜୁରିଆ ପରି ଖଟୁଛୁ ବୋଲି କର୍ମଚାରୀମାନେ କହିଛନ୍ତି।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ୧୯୮୩ ମସିହାରେ ନିର୍ମାଣ ହୋଇଥିଲା ପାନ୍ଥଶାଳା। ୨୦୦୪ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହାର ନବୀକରଣ ମଧ୍ୟ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ପ୍ରଶାସନର ଅବହେଳାରୁ ଏହାର ଅବନତି ଘଟିଥିଲା ଓ ଜିଲ୍ଲାରେ ଏବେ ଅନେକ ପର୍ଯ୍ୟଟନସ୍ଥଳୀ ରହିଥିବା ବେଳେ ପର୍ଯ୍ୟଟକଙ୍କ ରହିବା ପାଇଁ କୌଣସି ସୁବିଧା ନାହିଁ। ଏଭଳି ସ୍ଥିତିରେ ପାନ୍ଥଶାଳାର ପୁନରୁଦ୍ଧାର କରିବା ପାଇଁ ସାଧାରଣରେ ଦାବି ହୋଇଛି। ସେପଟେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେ କହିଛନ୍ତି, ଏନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି। ପର୍ଯ୍ୟଟନ ବିଭାଗ ଏନେଇ ପଦକ୍ଷେପ ନେବ।

You might also like