ସଂଗରୋଧ କେନ୍ଦ୍ରରୁ ବଜ୍ରକାପ୍ତା ଉଦ୍ଧାର ପରେ ହେବ କରୋନା ଟେଷ୍ଟ!

କଟକ: ବଜ୍ରକାପ୍ତାର କରାଯିବ କରୋନା ଟେଷ୍ଟ। କ୍ୱାରେଣ୍ଟିନ ସେଣ୍ଟରରୁ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିବାରୁ ଟେଷ୍ଟ ହେବ। ସ୍ୱାବ ନମୁନା ନିଆଯାଇ ଲ୍ୟାବ୍‌କୁ ଟେଷ୍ଟ ପାଇଁ ପଠାଯିବ, ଟେଷ୍ଟ ଓଡ଼ିଶାରେ ହିଁ ହେବ।  କରୋନା ପରୀକ୍ଷା ନେଇ ଆଠଗଡ଼ ଡିଏଫ୍‌ଓ ଦେଲେ ସୂଚନା।

ଆଠଗଡ ବନଖଣ୍ଡରେ ପୁଣି ସକ୍ରିୟ ବଜ୍ରକାପ୍ତା ରାକେଟ୍। ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଞ୍ଚଳରୁ ଗତକାଲି ରାତିରେ ଏକ କ୍ଵାରେଣ୍ଟିନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର କରିଛି ଆଠଗଡ଼ ବନବିଭାଗ।

ଆଠଗଡ ଡିଏଫ୍ଓଙ୍କ ସୂଚନା ମୁତାବକ, ବଜ୍ରକାପ୍ତାଟି ୪ କିଲୋ ଓଜନର ହେବ ଏବଂ ସୁସ୍ଥ ଅବସ୍ଥାରେ ଅଛି। ତାର କିଛି ପରୀକ୍ଷଣ ପରେ ଜଙ୍ଗଲରେ ଛଡାଯିବ। ଯେହେତୁ କ୍ଵାରେଣ୍ଟିନ ସେଣ୍ଟରରୁ ଉଦ୍ଧାର କରାଯାଇଛି, ଦରକାର ପଡ଼ିଲେ କରୋନା ପରୀକ୍ଷଣ କରାଯିବ। ବଜ୍ରକାପ୍ତାଟି କ୍ଵାରେଣ୍ଟିନ୍ ସେଣ୍ଟରକୁ କେମିତି ଆସିଲା ସେ ବାବଦରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

ସେପଟେ ବଡମ୍ବା ନିକଟ ମହୁଲିଆ ଗାଁରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଚାଲାଣ ନେଇ ରେଢାଖୋଲରୁ ଦୁଇ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ବିପୁଳ ବଜ୍ରକାପ୍ତା କାତି ଜବତ କରାଯାଇଛି। କିଛି ଦିନ ତଳେ ଛୋଟ ବଜ୍ରକାପ୍ତା ଚାଲାଣ ବେଳେ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ।

ଏହି ବଜ୍ରକାପ୍ତା ଚୋର ଚାଲାଣରେ ଏବେ ସୁଦ୍ଧା ମୋଟ ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗତ ଦୁଇ ଦିନ ଭିତରେ ୩ ଜଣଙ୍କୁ କଟକ ନୂଆପଟଣା ମଧୁସୂଦନ ସେତୁ ନିକଟରୁ ଗିରଫ କରିଛି ଆଠଗଡ ବନବିଭାଗ।

You might also like